csstore

ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସମୂହ ଉଭୟ ବାଳକ ଓ ବାଳିକା ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡ଼ିୟମ ବଲାଙ୍ଗିରଠାରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ପ୍ରଥମ ଦିନରେ ବାଳିକା ବିଭାଗରେ ଟିଟିଲାଗଡ଼ ବ୍ଲକ ଦଳ ୨-୧ ଗୋଲ୍‌ରେ ପୁଇଁନ୍ତଲା ବ୍ଲକ ଟିମ୍‌କୁ ପରାସ୍ତ କରି ଚାମ୍ପିୟାନ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ବାଳକ ବିଭାଗରେ ବଙ୍ଗୋମୁଣ୍ଡା ବ୍ଲକ ବଲାଙ୍ଗିର ବ୍ଲକ୍‌କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ସେହିପରି ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ବାଳିକା ବିଭାଗରେ ମୁରିବାହାଲ ଦଳ ପୁଇଁନ୍ତଲା ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଥିବା ବେଳେ ବାଳକ ବିଭାଗରେ ମୁରିବାହାଲ ଦଳ ପୁଇଁନ୍ତଲା ଦଳକୁ ହରାଇ ଚମ୍ପିୟାନ୍ ହୋଇଥିଲା । ଉଭୟ ପ୍ରତିଯୋଗିତାକୁ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟମୀ ବିଶ୍ୱାଳ ଉଦ୍‌ଘାଟନ କରିଥିବା ବେଳେ ଫାଇନାଲ ଖେଳରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ବଲାଙ୍ଗିର ଅଧିକାରୀ ଗୁଣନିଧି ନାଏକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ପ୍ରତିଯୋଗିତାଟିକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ ଏବଂ ସହକାରୀ ଜିଲ୍ଲାପାଳ ଆଦିତ୍ୟ ଦଳବେହେରାଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକମାନେ ନରସିଂହ ସ୍ୱାମୀ ନାଇଡୁଙ୍କ ନିର୍ଦ୍ଦେଶରେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ସମସ୍ତ ବିଜେତା ଓ ଉପବିଜେତା ଦଳମାନଙ୍କୁ ଆସନ୍ତା ଜିଲ୍ଲା ଲୋକ ମହୋତ୍ସବ ସମୟରେ ପୁରସ୍କାର ଦେଇ ସମ୍ମାନିତ କରାଯିବ ।

jayashree
Leave A Reply

Your email address will not be published.