
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମାର ନୂତନ ପଞ୍ଚାୟତ ଗୃହ ନିର୍ମାଣରେ ଜନ ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ ୨୦୨୫ ଅକ୍ଟୋବର ମାସ ୧୯ ତାରିଖରେ ବାରଖମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ମଞ୍ଜୁର ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ, ବାରଖମା ସରପଞ୍ଚ ଓ ଜନସାଧାରଣଙ୍କ ଉପସ୍ଥିତିରେ ରାଜୀବଗାନ୍ଧୀ ସେବା କେନ୍ଦ୍ର ନିକଟରେ ଏକ ଜମିକୁ ଚିହ୍ନଟ ସହ ଭୂମି ପୂଜନ କରିଥିଲେ । ଯାହାକି ବାରଖମାର ମୁଖ୍ୟ ବଜାର ସହ ଜନବସତି ନିକଟରେ ହୋଇଥିଲା । କିନ୍ତୁ ନିର୍ମାଣ ବେଳକୁ ଗ୍ରାମବାସୀଙ୍କ ଅଜାଣତରେ ସେହି ଜାଗାରେ ନହୋଇ ବାରଖମା ଠାରୁ ବହୁ ଦୂରରେ ହେଉଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି । ତେବେ ଏନେଇ ଏକ ଅଭିଯୋଗ ପତ୍ର ସହ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ବରଖମା ଗ୍ରାମବାସୀ । ସେହି ଜାଗାରେ ପଞ୍ଚାୟତ କାର୍ଯ୍ୟାଳୟ ଗଠନ ହେଲେ ବିଭିନ୍ନ ଅସୁବିଧା ଯଥା ବୃଦ୍ଧ ବାପା ମା’ଙ୍କ ବାର୍ଦ୍ଧକ୍ୟ ଭତ୍ତା ଗ୍ରହଣ, ଜନବସତି ଠାରୁ ଦୂର ହେବା ଏବଂ ନାନା ସମସ୍ୟାର ସମ୍ମୁଖୀନ ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ପରିବର୍ତ୍ତିତ ଜମି ଚିହ୍ନଟ ପୂର୍ବରୁ କୌଣସି ଗ୍ରାମର ଜନସାଧାରଣଙ୍କ ମତାମତ ବା ମଞ୍ଜୁର କରାଯାଇନଥିଲା । ତେବେ କାହା ଚାପରେ ବା କାହା ନିର୍ଦ୍ଦେଶରେ ତରବରିଆ ଭାବେ ନୂତନ ଜମି ଚିହ୍ନଟ କରାଯାଇଛି ତାହା ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ଦାବିପତ୍ର ପ୍ରଦାନ ବେଳେ କୁନାଲ ପ୍ରଧାନ ବାରଖମା ପୂର୍ବତନ ସରପଞ୍ଚ, ପରମାନନ୍ଦ ନାୟକ ୱାର୍ଡ ମେମ୍ବର ବାରଖମା ପଞ୍ଚାୟତ, ପ୍ରକାଶ କୁମାର ନାୟକ ବୁଦ୍ଧିଜୀବୀ, ସଞ୍ଜୀବ ଦିଗାଲ ବରିଷ୍ଠ କଂଗ୍ରେସ ନେତା, ଉମେଶ ନାୟକ, ମିହିର କୁମାର ଦିଗାଲ, କର୍ତ୍ତା ଦିଗାଲଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।