ଟ୍ରାନ୍ସଫର୍ମର୍ ସ୍ଥାନାନ୍ତରିତ କରାଯାଉ : ବିପଦଶଙ୍କୁଳ ଅବସ୍ଥାରେ ଗ୍ରାମବାସୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପୁଢ଼େରଖେର ଗ୍ରାମ ମଧ୍ୟରେ ୧୧କେଭି ତାର ଟଣାଯାଇଛି । ଯାହାଦ୍ୱାରା ଲୋକଙ୍କ ଜୀବନ ବିପଦରେ ଅଛି । ସୂଚନା ଅନୁଯାୟୀ ଗାଁରେ ଲାଗିଥିବା ୬୩ କେଭି ଟ୍ରାନ୍ସଫର୍ମର, ସେଠାକୁ ସଂଯୋଗ କରୁଥିବା ତାର ଗାଁ ମଧ୍ୟ ଦେଇ ଯାଇଥିବାରୁ ଅନେକ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ତାର ଗାଁର ପ୍ରାୟ ୩୫ ପରିବାର ଘର ଉପରେ ଯାଇଛି । କିଛିଦିନ ପୂର୍ବେ ଗୌର ଚନ୍ଦ୍ର ଝଗରା ନାମକ ବ୍ୟକ୍ତି ଛପର ଓଳଟାଉଥିବା ସମୟରେ ଏକ ବାଉଁଶ ୧୧ କେଭି ତାରରେ ସଂଯୋଗ ହୋଇଯାଇଥିଲା । ଯାହା ଫଳରେ ବିଦ୍ୟୁତ ଝଟକା ପାଇ ତଳେ କଚାଡି ହୋଇ ତାଙ୍କ ହାତ ଭାଙ୍ଗିଯାଇଥିଲା ।


ସୌଭାଗ୍ୟ ବଶତଃ ତାଙ୍କ ଜୀବନ ବଂଚିଯାଇଛି ସିନା ଆଗାମୀ ଦିନରେ ହେବାକୁ ଥିବା ବଡ଼ ଦୁର୍ଘଟଣା ପ୍ରତି ସତର୍କ ସୂଚନା ପ୍ରଦାନ କରିଛି । ଏଥିପାଇଁ ଲୋକେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଅନେକ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ସେମାନେ ନିଦାବିଷ୍ଣୁ ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାଛଡା ଟ୍ରାନ୍ସଫରମରଟି ଗାଁ ମଝିରେ ଥିବା ଯୋଗୁଁ ଲୋକେ ଅନେକ ଭୟଭୀତ ରହୁଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ କଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେବା ସଙ୍ଗେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.