କାମରେ ଲାଗୁନି ବୃହତ ଉଠା ଜଳ ସେଚନ ପ୍ରକଳ୍ପ : ଚାଷୀ ମହଲରେ ଅସନ୍ତୋଷ, ଆନ୍ଦୋଳନ ପାଇଁ ଚେତାବନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୃଷି ଓ କୃଷକଙ୍କ ବିକାଶ ଲକ୍ଷ୍ୟରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଶିଶକେଲା, କୁସମାଲ, ଭୁସ୍‌କିମାଲ ସ୍ଥାନରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମରୁଡି ଦାଉରୁ ଫସଲକୁ ରକ୍ଷା କରିବା। ହେଲେ ମହତ ଉଦେଶ୍ୟ ଓ ବୃହତ୍ତ ଆଶା ନେଇ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପଗୁଡିକ ଏବେ ଲକ୍ଷ୍ୟଚ୍ୟୁତ ହେବାକୁ ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଠିକ ଭାବରେ କାର୍ୟ୍ୟକ୍ଷମ ହୋଇ ପାରୁ ନଥିବାରୁ ଚାଷ ଜମିକୁ ଠିକ ଭାବେ ପାଣି ପହଞ୍ଚି ପାରୁ ନାହିଁ। ଫଳରେ ଚାଷ କାର୍ୟ୍ୟ ବାଧାପ୍ରାପ୍ତ ହେବା ସହ ସରକାରଙ୍କ ଲକ୍ଷ୍ୟ ପୁରଣ ହୋଇ ପାରୁନାହିଁ, ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅଭିଯୋଗ ହୋଇଛି, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଘୁନସର, ଶିଶକେଲା, ଆମ୍ବପାଲି, କୁସମାଲ, କଂସର ଅଞ୍ଚଳରେ। ଉଠା ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଠିକ ଭାବରେ ପାଣି ଜମିକୁ ଆସୁ ନ ଥିବା ନେଇ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଯୋଗ୍ୟ ଯେ, ଘୁନସର(ଭୁସ୍କିମାଲ) ଉଠା ଜଳସେଚନ ପ୍ରକଳ୍ପ ଗତ ୯/୮/୨୦୧୩ ମସିହାରେ କାର୍ୟ୍ୟ ଆରମ୍ଭ ହୋଇଥିଲା। ତେବେ ଚାଷୀଙ୍କ ଜମିକୁ ଜଳ ଯୋଗାଣ କରିବା ଲକ୍ଷ୍ୟରେ ୨୧୫୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଘୁନସର ତେଲ ନଦୀ କୂଳରୁ କାମ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପିଏସସି ପାଇପ ଲାଇନ ୫ କି.ମି ଓ ଏଚଡିପିଇ ପାଇପ ଲାଇନ ୧୭୭୨ କିମି ରହିଛି। ଏହାର ଆଉଟଲେଟ ସଂଖ୍ୟା ୯୯ ଥିବା ବେଳେ ୩୩୧ ଏଚପି କ୍ଷମତା ବିଶିଷ୍ଟ ୨ଟି କାର୍ୟ୍ୟରତ ଓ ୧ ଅତିରିକ୍ତ ରହିଛି।ଭେଜିପଦର, କଂସର, ଘୁନସର, ଦେଉଲି, ଦେଢେଲ ଅଟକଳ ଅନ୍ତର୍ଗତ ୧୨ହଜାର ହେକ୍ଟର ଜମିକୁ ଚାଷରେ ପାଣି ଦେବାର ଲକ୍ଷ୍ୟ ରହିଛି। ହେଲେ ତାହା ବିଫଳ ହୋଇଛି। କେଉଁ ସ୍ଥାନରେ ପାଇପ ଲାଇନ ନାହିଁ ତ ଅନାବଶ୍ୟକ ସ୍ଥାନରେ ପାଇପ ଲାଇନ ମଧ୍ୟ ରହିଛି। ତେବେ ଗତ ବର୍ଷ ଟିଟିଲାଗଡ଼ ଉପଜିଲ୍ଲାପାଳ ଉକ୍ତ ପ୍ରକଳ୍ପରେ ଗ୍ରାମବାସୀମାନେ ତାଲା ପକାଇ ଦେଇଥିବା ବେଳେ ଘଟଣା ସ୍ଥାଲରେ ସମସ୍ୟାର ସମାଧାନ କରିବାକୁ ଆସିଥିଲେ । ହେଲେ ବିଫଳ ହୋଇଥିଲେ ଉପଜିଲ୍ଲାପାଳ। ତେବେ ଶେଷରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ସମାଧାନ କରିବି ବୋଲି । ହେଲେ କିଛି ବି ଲାଭ ମିଳିଲା ନାହିଁ । ବର୍ତ୍ତମାନ ପର୍ୟ୍ୟନ୍ତ ସମସ୍ୟାର ସମାଧାନ ହୋଇ ନ ଥିବାବେଳେ ଠିକ ଭାବରେ ଚାଷୀଙ୍କ ଜମିକୁ ପାଣି ମିଳି ପାରୁନାହିଁ। ତେବେ ଏନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କରିଥିଲେ, କିଛି ସୁଫଳ ମିଳିନାହିଁ। ତେବେ ଆଗାମୀ ଦିନରେ ଚାଷୀ ଉକ୍ତ ପ୍ରକଳ୍ପରେ ତାଲା ପକାଇବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏନେଇ ବିଭାଗୀୟ ଏସଡିଓ ବିଭୁତି ମାଝୀଙ୍କୁ ପଚାରିବାରୁ ଭୋଲଟେଜ କମ ଥିବାରୁ ଠିକ ଭାବରେ ପାଣି ଲାଗି ପାରୁନାହିଁ, ତେବେ ଚେଷ୍ଟା କରିଛୁ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ବୋଲି କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ମହଲରେ ଦାବୀ ହେଉଛି।

Leave A Reply

Your email address will not be published.