ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଅଞ୍ଚଳର ବିକାଶ ହୋଇ ପାରୁନାହିଁ : ସାଧାରଣରେ ଆଲୋଚନା

ନୂଆପଡା, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ବନ ଜଙ୍ଗଲରେ ଘେରା ପ୍ରାକୃତିକ ସବୁଜିମା ବେଷ୍ଟିତ ଏକ ଆଦିବାସୀ ଓ ହରିଜନ ବହୁଳ ଅଞ୍ଚଳ । ଏଠାରେ ଉନ୍ନୟନର ସମସ୍ତ ଆନୁସଙ୍ଗିକ ସୁବିଧା ଥିଲେ ସୁଦ୍ଧା ଜନପ୍ରତିନିଧିମାନଙ୍କ ନୀରବତା ଓ ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁ ବିକାଶ ହୋଇପାରୁ ନାହିଁ ବେଲି ସାଧାରଣରେ ଆଲୋଚନାଳ ହେଉଛି । ନୂଆପଡା ଜିଲ୍ଲା ସୀମା ଲାଗି ଲଖନା ପାଞ୍ଚୟତ ଅବସ୍ଥିତ । ଏପଟେ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ଓ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଲାଗିଛି । ଉଭୟ ବ୍ଲକର ଆଠଗୋଟି ପଞ୍ଚୟତ ଲଖନା ଉପରେ ବ୍ୟବସାୟିକ ଓ ସାମାଜିକ ସମ୍ପର୍କ ଭୌଗଳିକ କାରଣରୁ ରଖିଛନ୍ତି । କୁରୁମପୁରୀ ଠାରୁ ଲଖନା ଯାଏଁ ରୋଡ ପ୍ରଶସ୍ତିକରଣ ହୋଇଥିଲେ ହେଁ ଲଖନା ଠାରୁ ବରଗଡ଼ ଜିଲ୍ଲା ଜାମସେଠକୁ ୧୫ କିଲୋମିଟର ରାସ୍ତା ପ୍ରଶସ୍ତିକରଣ  ଓ ଲଖନା ଠାରୁ ଭାୟା ଚାରିଛକ ଚାଲଡ଼ିହା ଗ୍ରାମ ଯାଏଁ ରାସ୍ତାକୁ ପ୍ରଶସ୍ତିକରଣ କରି ପ୍ରଶସ୍ତ, ବଙ୍ଗାମୁଣ୍ଡା ଠାରୁ ସାଇପଲା ରାସ୍ତାର ପ୍ରଶସ୍ତିକରଣ ଓ ଏ ସମସ୍ତ ରାସ୍ତାରେ ପଡୁଥିବା ଛୋଟ ପୋଲକୁ ବଡ଼ ପୋଲରେ ରୂପାନ୍ତରିତ କରାଗଲେ ଉନ୍ନତିର ବାଟ ଫିଟିବା ସହ ଭାରି ଯାନବାହନ ଚଳାଚଳ ସୁଗମ ହେବା ସହ ବିଜୁ ଏକ୍ସପ୍ରେସ ୱେକୁ ଜାମସେଠ ଗ୍ରାମରେ ସଂଯୋଗ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଅନେକ ସମୟରେ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟି ଜୀବନ ହାନି ର ନଜିର ରହିଛି । ଏ ଦୁଇ ରାସ୍ତାରେ ଦିନକୁଦିନ ଟ୍ରାଫିକ ବୃଦ୍ଧି ପାଉଥିବାରୁ ରାସ୍ତା ପ୍ରଶସ୍ତି କରଣ ଆବଶ୍ୟକ ହୋଇପଡିଛି । ଅଞ୍ଚଳର ଜନସାଧରଣ ବହୁଦିନରୁ ଲଖନା ଅଞ୍ଚଳକୁ ନେଇ ବ୍ଲକ ଗଠନ ଦାବୀ କରୁଥିବା ବେଳେ ଜନପ୍ରତିନିଧି ମାନଙ୍କ ନୀରବତା ଅସନ୍ତୋଷ ସୃଷ୍ଟି କରିଛି । ଅଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀ ମାନେ ଥିଲେ ହେଁ କଲେଜ ନଥିବାରୁ ଦୂରଦୂରାନ୍ତରକୁ ଥିଲାବାଲାମାନେ ପାଠପଢି ଯାଉଥିବା ବେଳେ ଗରିବ ଖଟିଖିଆ ଅସହାୟ ହରିଜନ ଆଦିବାସୀ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଏକ ସରକାରୀ କଳା, ବାଣିଜ୍ୟ ଓ ବିଜ୍ଞାନ ମହାବିଦ୍ୟାଳୟ ଖୋଲିବା ସହ ଏକ ବୈଷୟିକ ଶିକ୍ଷା କେନ୍ଦ୍ର (ଆଇଟି ଆଇ) ଖୋଲିବାକୁ ଦାବୀ ହେଉଛି । ଆୟୁର୍ବେଦିକ ଡାକ୍ତରଖାନ ଥିଲେ ମଧ୍ୟ ଡାକ୍ତର ନଥିବାରୁ ଜନସାଧର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ଭଳି ଏ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା କଥା ନକହିଲେ ଭଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ପଚିଶ କିଲୋମିଟର ଦୂର ଜିଲ୍ଲା ଚିକିତ୍ସଲୟ ଉପରେ ନିର୍ଭର କରିବାକୁ ପଡେ । ନିକଟସ୍ଥ ଲଷ୍ମୀ ସାଗର (ପେଠିଆପାଲି)କୁ ପୁନରୁଦ୍ଧାର କରି ଏକ ଉଦ୍ୟାନ ନିର୍ମାଣ କଲେ ସୌନ୍ଦର୍ୟ୍ୟକରଣ ସହ ଅବସର ବିନୋଦ ପାଇଁ ଲୋକଙ୍କୁ  ସୁଯୋଗ ମିଳନ୍ତା । କ୍ରୀଡ଼ାର ବିକାଶ ପାଇଁ ମିନି ଷ୍ଟାଡିଅମ ଓ ବ୍ୟବସାୟୀଙ୍କୁ ବ୍ୟବସାୟ ପାଇଁ ପଞ୍ଚାୟତ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଦାବି ଜୋର ଧରିଛି । ଏ ଠାରେ ଏଜ ଷ୍ଟେଟ ବ୍ୟାଙ୍କ ଏଟିଏମ ସ୍ଥାପନ କରିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କର୍ମଚାରୀ ସହ ଅଞ୍ଚଳର ଜନତା ଟଙ୍କା  ଉଠାଇବାକୁ ସୁବିଧା ହୁଅନ୍ତା ପୋଲିସ ଥାନା, ହାଇ ସ୍କୁଲ, କେନ୍ଦୁପତ୍ର ରେଞ୍ଜର ଅଫିସ, ବନ ବିଭାଗ ଅଫିସ, ଆର ଆଇ ଅଫିସ, ରେଳ ବିଭାଗ ଓ ଅନ୍ୟାନ୍ୟ ବହୁ ଅଫିସ ରହିଛି । ଜିଲ୍ଲାର ତିନୋଟି ରେଳ ଷ୍ଟେସନ ମଧ୍ୟରେ ଲଖନା ଅନ୍ୟତମ ଖରିଆର ରୋଡ ଓ ନୂଆପଡା ରେଳ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହୁଥିବା ବେଳେ ଲଖନା ରେ ଦ୍ରୁତଗାମୀ ଟ୍ରେନ ର ରହଣୀ ନାହିଁ । ଲଖନା ରେଳ ଷ୍ଟେସନରେ ଲଖନା ଅଞ୍ଚଳ ସମେତ ପାଇକମାଲ (ବରଗଡ଼ ଜିଲ୍ଲା) ଓ ଖପ୍ରାଖୋଲ ବ୍ଲକ (ବଲାଙ୍ଗୀର ଜିଲ୍ଲାର) ଆଖ ପାଖ ଗ୍ରାମର ଏକ ଲକ୍ଷରୁ ଉର୍ଦ୍ଧ୍ବ ଜନସାଧରଣ ରେଳ ଉପରେ ନିର୍ଭର କରନ୍ତି । ଏ ଅଞ୍ଚଳର ବ୍ୟବସାୟ ନିକଟସ୍ଥ ଛତିଶଗଡ଼ ରାଜଧାନୀ ରାୟପୁର ଠାରୁ ଟ୍ରେନ ଯୋଗେ ମାଲ ପରିବହନ କରାଯାଇଥାଏ । ପୂର୍ବତଟ ରେଳବାଇ ଏ ଷ୍ଟେସନରୁ ଲକ୍ଷ ଲକ୍ଷ ରାଜସ୍ୱ ପାଉଥିଲେ ହେଁ ଦ୍ରୁତଗାମୀ ଟ୍ରେନ ରହଣୀ ନଥିବାରୁ ଅନେକଥର ରେଳ ରୋକ ଆନ୍ଦୋଳନ କରିବାକୁ ପଛାଇ ନାହାନ୍ତି, ସେ ଭଳି ରେଳ ଲାଇନ ତଳେ ଅଣ୍ଡର ବ୍ରିଜ ଥିବାରୁ ବୋରୱେଲ ଟ୍ରକ, ବଡ଼ ବସ ଓ ଭାରିଯାନ ଏହି ବ୍ରିଜ ତଳେ ପାରହୋଇ ପାରେ ନାହିଁ, ସେଥି ପାଇଁ ଲଖନା ଗ୍ରାମକୁ ଆସିବାକୁ ହେଲେ ୪୦ କିଲୋମିଟର ବୁଲି ଆସିବାକୁ ପଡେ, ଫ୍ଲାଇଓଭର ବ୍ରିଜ ନିମନ୍ତେ ଦାବୀ ହେଉଥିଲେ ମଧ୍ୟ ରେଳ ବିଭାଗର ବୈମାତୃକ ମନୋଭାବ ଯୋଗୁଁ ଦାବୀ ପୁରାଣ ହୋଇ ପାରିନାହିଁ । ଏ ସମସ୍ତ ଦାବୀ ପୂରଣ ନହେଲେ ଲଖନା ବିକାଶ ମଞ୍ଚ ଭବିଷ୍ୟତରେ ତୃଣମୂଳ ସ୍ତରରେ ଏକ ବିରାଟ ଆନ୍ଦୋଳନ କରିବ ବୋଲି ଆବାହକ ପୁରୋହିତ ସୁନାନୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 × 2 =