ଖଲ୍ଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟା ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଘଟିଯାଇଥିବା ନିର୍ବାଚନୀ ହିଂସାକାଣ୍ଡ ଓ ହତ୍ୟା ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୋମବାର ଅପରାହ୍ନରେ ଏକ ପ୍ରେସ୍-ମିଟ୍‌ରେ କହିଛନ୍ତି । ଗିରଫ ମୁଖ୍ୟ ଅଭିଯୁକ୍ତମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ୍ ଓ ସ୍ଥାନୀୟ ରାମଚନ୍ଦ୍ରପୁରର ପପୁ ତରାଇ ବୋଲି କୁହାଯାଇଛି । ପୂର୍ବରୁ ଏହି ଘଟଣାରେ ୯ ଜଣକୁ ଗିରଫ କରାଯାଇ ଥିବାବେଳେ ଏବେ ସମୁଦାୟ ଗିରଫଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟଣାରେ ସୁଦର୍ଶନ ପାହାନ୍ ଓ ପପୁ ତରାଇଙ୍କ ନାମରେ ଥାନାରେ ଏଫ୍.ଆଇ.ଆର୍. ହୋଇଥିଲା । ଘଟଣା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ହୋଇ ଏସ୍‌ଆଇଟି ତଦନ୍ତ ଟିମ୍ ଏହି ଦୁହିିଁଙ୍କୁ ଧରିବାରେ ସଫଳ ହୋଇଛି । ଏମାନଙ୍କର ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ପୋଲିସ୍ ଜିଲ୍ଲା ଅଧିକ୍ଷକ ।

Leave A Reply

Your email address will not be published.