ବିଧାୟକ ପ୍ରାର୍ଥୀ ଟିକଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅନନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ ରହିଥିବା ବେଳେ ବିଜେପି ପକ୍ଷରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି । ଏତିକି ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗତ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାଶ । ସେ ସିଧାସଳଖ ସ୍ପଷ୍ଟ ଭାବରେ ତାଙ୍କ ଟିକଟ୍‌ କାଟି ଦିଆଯାଇଥିବା କହିବା ସହ ଦଳର ଏକ ନିର୍ଦ୍ଦିଷ୍ଟ ପରିବାର ଓ ବ୍ୟକ୍ତିଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ବଲାଙ୍ଗିର ଭଗବତୀ ମଣ୍ଡପଠାରେ ଏକ କାର୍ଯ୍ୟକର୍ତ୍ତା ବନ୍ଧୁମିଳନର ଆୟୋଜନ କରି ଶ୍ରୀ ଦାଶ କୌଣସି ପ୍ରତିନିଧି କିମ୍ବା ପ୍ରାର୍ଥୀଙ୍କ ନାଁ ନନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ଏଥର ବିଜେପି ବିଧାୟକ ପ୍ରାର୍ଥୀ କରିଛି, ତାହାଙ୍କ କାର୍ଯ୍ୟଦକ୍ଷତା ପ୍ରତି ସେ ଆକ୍ଷେପ କରିଥିବା ବେଳେ ବିଜେପିର ବିଧାୟକ ପ୍ରାର୍ଥୀ ଟିକଟ୍‌ ବଂଟନରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ବାଢ଼ିଛନ୍ତି । ଅନ୍ୟପକ୍ଷରେ ଦଳର ଅନ୍ୟାୟ, ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ ହେବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଅନନ୍ତଙ୍କ ଅଭିଯୋଗର ଉତ୍ତରରେ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ କହିଛନ୍ତି ଯେ, ଅନନ୍ତ ଭାଇ ବିଜେପିର ଜଣେ ପୁରୁଣା କାର୍ଯ୍ୟକର୍ତ୍ତା ହୋଇଥିବା ବେଳେ ବିଗତ ଥର ତାଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିଲା । ବିଜେପି ଏକ ସଂଗଠିତ ଦଳ । ଉଚିତ୍‌ ନିଷ୍ପତ୍ତି ନେଇ ଚଳିତ ନିର୍ବାଚନରେ ମତେ ଟିକେଟ୍‌ ଦେଇଛି । ଏଥିରେ ମୋର କ’ଣ ଦୋଷ ବୋଲି ପ୍ରଶ୍ନ ଉଠାଇଛନ୍ତି ଗୋପାଳଜୀ ।

Leave A Reply

Your email address will not be published.