
ଗୁଡ଼ିଘାଟର ଯୁବ ସମାଜସେବୀ ମକୁନ୍ଦ ବଗର୍ତ୍ତୀ କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ସ୍ୱାସ୍ଥ୍ୟ ପ୍ରତିନିଧି ନିଯୁକ୍ତ
- ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଶୁଭେଚ୍ଛା
- ମୁରିବାହାଲ ସିଏଚ୍ସିରେ ସ୍ତ୍ରୀ ଓ ପ୍ରସୂତି ତଥା ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି ମୁଖ୍ୟ ଲକ୍ଷ୍ୟ- ମକୁନ୍ଦ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ ଗୁଡିଘାଟ ଗ୍ରାମର ଯୁବ ସମାଜସେବୀ ମକୁନ୍ଦ ବଗର୍ତ୍ତୀଙ୍କୁ ମୁରିବାହାଲ ବ୍ଲକର ତାଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ନିଯୁକ୍ତ କରିଛନ୍ତି । ବିଧାୟକ ଶ୍ରୀ ବାଗ ତାଙ୍କ ଅନୁପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ସମ୍ବନ୍ଧୀୟ ସରକାରୀ କାର୍ଯ୍ୟର ସମନ୍ୱୟ ଓ ପରିଚାଳନା ଦାୟିତ୍ୱ ମକୁନ୍ଦ ବଗର୍ତ୍ତୀଙ୍କୁ ପ୍ରଦାନ କରିଛନ୍ତି । ଏନେଇ ବିଧାୟକ ଲକ୍ଷ୍ମଣ ବାଗ ଚିଠି ସଂଖ୍ୟା ୫୧୯/୨୬ ତା ୦୮/୧୧ ୨୦୨୬ ତାରିଖରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ଏକ ଅଧିକାରିକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଚିଠି ଅନୁଯାୟୀ, ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମର ଯୁବ ସମାଜସେବୀ ମକୁନ୍ଦ ବଗର୍ତ୍ତୀ ବିଧାୟକଙ୍କ ପ୍ରତିନିଧି ଭାବେ ମୁରିବାହାଲ ସିଏଚ୍ସି ଅଧୀନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି) ଓ ଉପକେନ୍ଦ୍ରଗୁଡ଼ିକର ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ଯୋଗାଯୋଗ, ସମନ୍ୱୟ ରକ୍ଷା ଏବଂ ଆବଶ୍ୟକୀୟ କାର୍ଯ୍ୟର ତଦାରଖ କରିବେ । ବିଧାୟକ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ଅନୁପସ୍ଥିତ ଥିବା ସମୟରେ ଏହି ଦାୟିତ୍ୱ ତୁଳାଇବାକୁ ତାଙ୍କୁ ଅଧିକୃତ କରାଯାଇଛି । ତେବେ କୌଣସି ବଡ଼ ନିଷ୍ପତ୍ତି କିମ୍ବା ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଧାୟକଙ୍କ ସହ ପୂର୍ବରୁ ଆଲୋଚନା କରିବା ସହ ତାଙ୍କ ଅନୁମୋଦନ ନେବା ବାଧ୍ୟତାମୂଳକ ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ବିଧାୟକଙ୍କ ଅନୁପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗର ସରକାରୀ କାର୍ଯ୍ୟଗୁଡ଼ିକର ସୁଚାରୁ ସମନ୍ୱୟ ଓ ତ୍ୱରିତ ସମାଧାନ ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି । ବିଧାୟକ ଶ୍ରୀ ବାଗ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ବ୍ଲକ ପ୍ରତିନିଧି ନିଯୁକ୍ତ କରିଥିବାରୁ ସେ ଏହି ଗୁରୁ ଦାୟିତ୍ୱକୁ ସୁଚାରୁରୂପେ ତୁଳାଇବା ସହ ବିଧାୟକଙ୍କୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି ପାଇଁ ବିଧାୟକଙ୍କ ସହ ଆଲୋଚନା କରି ଉଦ୍ୟମ କରିବେ, ଯେଉଁଥିପାଇଁ ହଜାର ହଜାର ସାଧାରଣ ଗରିବ ରୋଗୀମାନେ କଣ୍ଟାବାଞ୍ଜି, ଟିଟିଲାଗଡ ଓ ବଲାଙ୍ଗିର ମେଡିକାଲକୁ ରେଫର୍ ହୋଇ ଗୁରୁତର ହଇରାଣ ହୋଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ।ଏହି ନିଯୁକ୍ତି ପରେ ଯୁବ ସମାଜସେବୀ ମକୁନ୍ଦ ବଗର୍ତ୍ତୀଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।