
ବରଗଡ, (ମୁନ୍ନା ସାହୁ): ବରଗଡ଼ ଜିଲ୍ଲା ଅତାବିରାରେ ନିର୍ମାଣ ହେବ ଉନ୍ନତଧରଣର ମାର୍କେଟ କମ୍ପ୍ଲେକ୍ସ । ଖର୍ଚ୍ଚ ହେବ ତିନି କୋଟି ୮୪ ଲକ୍ଷ ଟଙ୍କା । ଏନେଇ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅତାବିରା ବିଧାୟକ ନିହାର ମହାନନ୍ଦ । ଜବରଦଖଲ ଉଚ୍ଛେଦ ବେଳେ ଯେଉଁ ଯେଉଁ ଦୋକାନୀମାନେ ପ୍ରଭାବିତ ହୋଇଥିଲେ ସେମାନଙ୍କୁ କମ୍ପ୍ଲେକ୍ସ ଦୋକାନ ଗୃହ ମିଳିବ । ଏହା ସହ ଅନ୍ୟ ବ୍ୟବସାୟୀମାନେ ଦୋକାନ ଗୃହ ନେବାପାଇ ଆବେଦନ କରିବେ । ଏହି କମ୍ପ୍ଲେକ୍ସ ହେଲେ ଲୋକଙ୍କୁ ଆଉ ଏଣେତେଣେ ଯିବାକୁ ପଡିବ ନାହିଁ – ଲୋକେ ଗୋଟିଏ ଜାଗାରେ ସମସ୍ତ ପ୍ରକାରର ସାମଗ୍ରୀ ପାଇପାରିବେ । ପୂର୍ବରୁ ଏହି କମ୍ପ୍ଲେକ୍ସ ତିଆରି ପାଇଁ ଅତାବିରା ଏନ୍ଏସି ପକ୍ଷରୁ ଦାବି କରାଯାଇଥିଲା ଓ ଆବଶ୍ୟକ ଦୃଷ୍ଟିରୁ ସରକାର ଏହାକୁ ମଞ୍ଜୁର କରିଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ଆୟୋଜିତ ଏକ ବୈଠକରେ ଅତାବିରା ବିଧାୟକ, କାଉନସିଲର ଦୀପକ ରା଼ୟ, ଏନ୍ଏସି ଇଓ ନରେନ୍ଦ୍ର ପଧାନ ମଂଚାସୀନ ଥିବାବେଳେ ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିଲେ ।