ଲକଡାଉନ ସମୟରେ ଛତ୍ରପୁର ସହରରେ ବୁଲା ଗାଈଗୋରୁ ମାନେ ଭୋକରେ ସଢୁଛନ୍ତି

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଲକଡାଉନ ସମୟରେ ବୁଲା ଗାଈଗୋରୁ, କୁକୁର, ମାଙ୍କଡ଼ ମାନଙ୍କୁ ସରକାରଙ୍କ ଯୋଜନାରେ ଆସିଥିବା ଖାଦ୍ୟଦ୍ରବ୍ୟ ଠିକ ଭାବେ ଖାଇବାକୁ ଦିଆଯାଉ ନଥିବା ସାଧାରଣରେ ଅଭିଯୋଗ ହେଉଛି । ଛତ୍ରପୁର ସହରର ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ନିଜର ବ୍ୟକ୍ତିଗତ କାର୍ଯ୍ୟରେ କିଛିଦିନ ବ୍ୟସ୍ତରହିଥିଲେ, ଏବଂ ଛୁଟିରେ ଥିବାବେଳେ ଏହିସବୁ ସହରୀ ବୁଲା ଜନ୍ତୁମାନଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଇନଥିଲା । ଏବେ ବି ତାହାର ତଦାରଖ ଠିକ ଭାବେ କରାଯାଉ ନଥିବା ହେତୁ ବୁଲା ଗାଈଗୋରୁ ମାନେ ଠିକ ଭାବେ ଖାଇବାକୁ ପାଇପାରୁନାହାନ୍ତି । ତେବେ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ସରକାରୀ ଯୋଜନାର ଅର୍ଥ ହଡ଼ପ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଯେଉଁ ପରିମାଣରେ ଖାଦ୍ୟଦ୍ରବ୍ୟ ଯୋଗାଇ ଦେବା କଥା ସେ ପରିମାଣରେ ପ୍ରତିଦିନ କୌଣସି ନା କୌଣସି ଗୋଟିଏ ୱାର୍ଡ ଅବା ସାହି ମାନଙ୍କରେ ବୁଲା ପଶୁମାନଙ୍କୁ ଖାଇବାକୁ ଦିଆଗଲେ, ଜନସାଧାରଣରେ ସମସ୍ତେ ଖୁସିବ୍ୟକ୍ତ କରିଥାନ୍ତେ । କେତେବେଳେ କୋଉଠି ବୁଲା ପଶୁ ମାନଙ୍କୁ ଖାଇବାକୁ ଦିଆଯାଉଛି, ତାହାର କୌଣସି ନିର୍ଦ୍ଧାରଣ ବା’ ସେଡୁଲ ତିଆରି କରାଯାଇନାହିଁ । ସୂଚନାଯୋଗ୍ୟ ଯେ, କୋଭିଡ଼-୧୯ ମହାମାରୀ ସମୟରେ ଲକଡାଉନ ଭିତ୍ତିରେ ସହରାଞ୍ଚଳ ମାନଙ୍କରେ କ୍ଷୁଦ୍ର ଓ ମଧ୍ୟମ ସହର ତଥା ଏନ.ଏ.ସି. ଅଞ୍ଚଳକୁ ଦୈନିକ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପାଣ୍ଠି ଆସିଥିବା ବେଳେ ଛତ୍ରପୁର ସହରରେ ଦିନକୁ ମାତ୍ର ୨ଶହ ଟଙ୍କାର ଖାଦ୍ୟଦ୍ରବ୍ୟ ହେଲେ ଦିଆଯାଉଛି, କି ? ନାହିଁ ସନ୍ଦେହ ! କିଛି ଫଳ ଓ ପନିପରିବା ଆଦିର ଚୋପା, ଟୁକଡା ଧାନ ଓ ଚାଉଳ, କୁଣ୍ଡା ଆଦି ଶସ୍ତାରେ ହେଲେ କିଣି ଯୋଗାଡ଼ କରି ତାହା ଗୋ ଖାଦ୍ୟ ଭାବେ ଦେଇଥିଲେ, ବି ଭଲ ହୋଇଥାନ୍ତା, ଏହା ଏକ ଧାର୍ମିକ ପଦ୍ଧତି ବୋଲି ଲୋକେ ପ୍ରଶାସନକୁ ପ୍ରସଂଶା କରିଥାନ୍ତେ । ଠିକ ସେହିପରି ଲକଡାଉନ ସମୟରେ ବୁଲା କୁକୁର ମାନେ ମଧ୍ୟ ଢହଳ ବିକଳ ହୋଇ ଖାଇବାକୁ ନ ପାଇ ବୁଲୁଛନ୍ତି । କିଛି ଲୋକମାନେ ନିଜ ସୌଜନ୍ୟରେ ନିଜେ ବିସ୍କୁଟ କିଣି ସମୂଦ୍ରକୁ ଶଙ୍ଖେ ସଦୃଶ ନିଜେ ନିଜ ଖୁସିରେ କୁକୁର ମାନଙ୍କୁ ଦେଉଥିବାର ଦେଖିବାକୁ ମିଳିଛି । ଏନ.ଏ.ସି. କର୍ତ୍ତୃପକ୍ଷ କଣ ଦିଅନ୍ତି ? କେବେ ଦିଅନ୍ତି ? ତାହା କେହି ଜାଣିପାରୁନାହାନ୍ତି । ତେଣୁ ଗତ ବର୍ଷମଧ୍ୟ ଏହି ଲକଡାଉନ ସମୟ ଭିତ୍ତିରେ ଏ ସମ୍ପର୍କରେ ତତ୍କାଳୀନ ଏନ.ଏ.ସି.ର ଇଓଙ୍କୁ ଆମପ୍ରତିନିଧି ସାକ୍ଷାତ କରି ଏବଂ ବାରମ୍ବାର ଅଭଯୋଗ କରିଥିଲେ ମଧ୍ୟ ସେ ଏହାକୁ କର୍ଣ୍ଣପାତ କରିନଥିଲେ । ତେଣୁ ସରକାରଙ୍କ ଯୋଜନାରେ କୋଭିଡ଼ ମହାମାରୀ ସମୟରେ ବୁଲା ଗାଈଗୋରୁ ମାନଙ୍କ ଉଦ୍ଦେଶ୍ୟରେ ଆସିଥିବା ଖାଦ୍ୟଦ୍ରବ୍ୟକୁ ସଠିକ ଭାବେ ବିନିଯୋଗ କଲେ, ସମସ୍ତେ ଖୁସିବ୍ୟକ୍ତ ହୋଇଥାନ୍ତେ, ଏବଂ ସଭିଏଁ ଉପକୃତ ହୋଇଥାନ୍ତେ । ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତଥା ସହରାଞ୍ଚଳ ପିଡି, ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ଦେଇ ଏହି ଯୋଜନାର ଅର୍ଥକୁ ସଦବିନିଯୋଗ କରାଯିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଅଛି । ପୂର୍ବ ଲକଡାଉନ ଆଉ କୋରନାର ଦ୍ୱିତୀୟ ଲହରରେ ଏହି ଯୋଜନାରେ ଆସିଥିବା ବୁଲା ଗାଈଗୋରୁ, କୁକୁର, ମାଙ୍କଡ଼ ମାନଙ୍କ ପାଇଁ ଆସିଥିବା ଖାଦ୍ୟଦ୍ରବ୍ୟର ହିସାବ କେଉଁଆଡ଼େ ହଡ଼ପ ହୋଇଛି, ଏହାର ଉଚ୍ଚସ୍ତସରୀୟ ତଦନ୍ତ କରାଯିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.

sixteen + four =

error: Content is protected !!