pakka

ଶ୍ରୀ ମନ୍ଦିରରେ ପହିଲି ଭୋଗ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୀତରୁ ରକ୍ଷା ପାଇବା ପାଇଁ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ (ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ) ଆରମ୍ଭ ହୋଇ ମାଘ ଶୁକ୍ଳ ପଞ୍ଚମୀ (ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ) ପର୍ଯ୍ୟନ୍ତ ଦୁଇ ମାସ କାଳ ଶୀତ ବସ୍ତ୍ର ଲାଗି ବା ଘୋଡ଼ଲାଗି ବେଶ ହୁଅନ୍ତି । ପାରମ୍ପରିକ ରୀତିମତେ ପୌଷ ମାସରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏକମାସ କାଳ ପ୍ରଭାତରୁ ଗୋପାଳବଲ୍ଲଭ ଭୋଗ ସହିତ ‘ପହିଲି ଭୋଗ’ ଧୂପ ହୋଇଥାଏ । ଶ୍ରୀମନ୍ଦିରରୁ ଏହି ସମୟରେ ରାତ୍ରରୁ ଦ୍ଵାରଫିଟା, ଆଳତି, ଅବକାଶ, ଘୋଡ଼ଲାଗି ବେଶ ଓ ଅଳଙ୍କାର ଲାଗି ହୁଏ । ତତ୍ପରେ ଭିତର ବାହାର ବୋଧ ହୋଇ ଶ୍ରୀମନ୍ଦିର ଅଣସର ପିଣ୍ଡିଠାରେ ପରଖମାନଙ୍କରେ ବଲ୍ଲଭ ବଢ଼ା ହୁଏ । ଏହା ପରେ ପାଣି ପଡ଼ି ପହିଲି ଭୋଗ ନୀତି ହୁଏ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ପିତ୍ରାଳୟ ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷେଇ କରି ବିଭିନ୍ନ ବ୍ୟଞ୍ଜନ ସହିତ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳି ଆସିଛି । ପୌରାଣିକ ଆଖ୍ୟାନ ଅନୁଯାୟୀ, ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ସ୍ମତିରେ ବ୍ୟାକୁଳିତ ହୋଇ ବାଳଗୋପାଳ ରୂପ ଧାରଣ କରିଥିବା ବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରେରିତ ହୋଇ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ-ବଳରାମ ଦୁଇଭାଇଙ୍କୁ ଯଶୋଦାଙ୍କ କୋଳରେ ବସି ନାନା ସୁମିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବାର ଦେଖୁଲେ । ଶ୍ରୀଜଗନ୍ନାଥଙ୍କ ‘ପହିଲି ଭୋଗ’ ଏହାର ସ୍ମାରକୀ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ଵାପର ଯୁଗରେ ମା’ ଯଶୋଦାଙ୍କ ପୁତ୍ର ବାତ୍ସଲ୍ୟ ତଥା ପୁତ୍ର ସ୍ନେହର ପ୍ରମାଣ ସ୍ୱରୂପ ରୁକ୍ମିଣୀ (ଲକ୍ଷ୍ମୀ) ପିତୃ ଗୃହକୁ ଗମନ ହେତୁ ମାତାଙ୍କର ପୁତ୍ର ସେବା ରୂପକ ‘ପହିଲି ଭୋଗ’ର ସୃଷ୍ଟି ହୋଇଛି । ଜନଶ୍ରୁତି ଅନୁଯାୟୀ, ଏହି କେତେଦିନ ଲକ୍ଷ୍ମୀ ତାଙ୍କ ସ୍ଥାନରୁ ଅନ୍ତର ହୋଇଯାଆନ୍ତି । ଲୋକ ବିଶ୍ୱାସରେ ଏହି ଧନୁ ମାସଟି ଲକ୍ଷ୍ମୀ ତାଙ୍କ ବାପ ଘରେ କାଟନ୍ତି । ପୌଷ ମାସରେ ବୋହୂ ବାପ ଘରକୁ ଯିବାର ଚଳଣି ଓଡ଼ିଶାର ଏକ ପରମ୍ପରା । ଏହି ପହିଲି ଭୋଗରେ ବିରି ଓ ଗହମ ଚୂନାରେ ଘୃତ ପାଗ ହୋଇ ବହୁବିଧ ସ୍ୱତନ୍ତ୍ର ପିଠା କରି, ମା’ ଯଶୋଦା ପୁଅ ଶ୍ରୀକୃଷ୍ଣଙ୍କୁ ଖୁଆଇଥିଲେ । ସେଥିପାଇଁ ପ୍ରତିଦିନ ସକାଳୁ ମହାପ୍ରଭୁଙ୍କ ନିକଟରେ ପରମ୍ପରାକ୍ରମେ ଏହି ପହିଲି ଭୋଗ ହୋଇଥାଏ । ଏଥିରେ ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ଲିଖିତ ଦ୍ରବ୍ୟ ପରିମାଣ ଅନୁସାରେ ବଡ଼ ଝିଲି, ଦରସୁଆ ଝିଲି, ଦରସୁଆ ବଡ଼ି, ବଡ଼ବଡ଼ା, ଆରିସା, ଏଣ୍ଡୁରୀ, ମୁଗେଇ, ଝଡ଼େଇନଦା, ଚୂଡ଼ାପୁଆ, ଛତୁ, ଲଡୁ, ଗଜା, ଖଇରଚୂଳ, ଗଇଁଠା, ମଣ୍ଡା, ବଡ଼ି, କଣ୍ଢେଇ ଇତ୍ୟାଦି ପଞ୍ଚାପଚାରରେ ପୂଜା ହୋଇ ଭୋରରୁ ଲାଗି ହୋଇଥାଏ । ଏହି ସବୁ ଦ୍ରବ୍ୟ ପାକ କରିବାର ସୁବିଧା ପାଇଁ ଏହି ସମୟରେ ମଙ୍ଗଳ ଆଳତି ପରେ ପରେ ରୋଷହୋମ ହୋଇଥାଏ ।

jay balangir
Leave A Reply

Your email address will not be published.

2 + 9 =

error: Content is protected !!