
- ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା
ଲୋଇସିଂହା. (କେପିଏନ୍ଏସ୍) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇର ଭାଇଚାରା ଓ ମିଳନର ବାର୍ତ୍ତାକୁ ନେଇ ଆୟୋଜିତ ଏହି ଭେଟଘାଟରେ ନାଚ, ଗୀତ ସମେତ ବିଭିନ୍ନ ମନୋରଞ୍ଜନଧର୍ମୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । ଏହି ଅବସରରେ ସ୍ଥାନୀୟ କଳାକାର, ଯୁବପିଢ଼ି ଏବଂ କୁନି କୁନି ପ୍ରତିଭାବାନ କଳାକାରମାନେ ନାଚ ଓ ଗୀତ ପ୍ରତିଯୋଗିତାରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସମ୍ବଲପୁରୀ ଲୋକନୃତ୍ୟ, ଲୋକଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣରେ ଦର୍ଶକମାନେ ବିଶେଷ ଭାବେ ଆକର୍ଷିତ ହୋଇଥିଲେ । କଳାକାରମାନଙ୍କ ମନୋମୁଗ୍ଧକର ପରିବେଷଣରେ ସମଗ୍ର ମଞ୍ଚ ଓ ପରିବେଶ ଉତ୍ସବମୁଖର ହୋଇଉଠିଥିଲା । କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଯୁବ ସଂଘର କଳାକାରମାନଙ୍କ ଦ୍ୱାରା ପରିବେଷିତ ନାଟକ ‘ଗାଁ ବୁଡ଼ି’ । ଅଜିତ୍ ଭୋଇଙ୍କ ରଚିତ ଏହି ନାଟକରେ ଗ୍ରାମୀଣ ଜୀବନ, ସାମାଜିକ ବାସ୍ତବତା ଓ ମାନବୀୟ ମୂଲ୍ୟବୋଧକୁ ନେଇ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଯୁବ ସଂଘର କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ଜିଣିବା ସହ ନାଟକଟି ବେଶ୍ ପ୍ରଶଂସା ସାଉଁଟିଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ନୂଆଁଖାଇ ପର୍ବର ମହତ୍ତ୍ୱ, ଭାଇଚାରା, ସାମାଜିକ ଏକତା ତଥା ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଲୋକକଳା, ଲୋକସାହିତ୍ୟ ଓ ପରମ୍ପରାକୁ ଜୀବନ୍ତ ରଖି ଏହାକୁ ନୂଆ ପିଢ଼ି ମଧ୍ୟରେ ପହଞ୍ଚାଇବା ପାଇଁ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଗ୍ରାମର ଗୌରବ ବଢ଼ାଇଥିବା ଦୁଇଜଣ ପ୍ରତିଭାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ଗ୍ରାମର ଦୀପାଞ୍ଜଳୀ ଭୋଇଙ୍କୁ ଏବଂ ପାଲା ସାହିତ୍ୟ ଓ ପରମ୍ପରାକୁ ଆଗେଇ ନେବାରେ ଅବଦାନ ରଖୁଥିବା ଅଭିମନ୍ୟୁ ମିଶ୍ରଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ନାଚ ଓ ଗୀତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା । କୁନି କୁନି କଳାକାରଙ୍କ ଉତ୍ସାହ, ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ଓ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ କାର୍ଯ୍ୟକ୍ରମଟି ଆହୁରି ଆକର୍ଷଣୀୟ ହୋଇଥିଲା । ଆୟୋଜକ କମିଟିର ସଦସ୍ୟ, ଯୁବକ ଓ ଗ୍ରାମବାସୀଙ୍କ ମିଳିତ ପ୍ରୟାସ ଓ ସହଯୋଗରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

