ବାଇକରେ ଲିଫ୍ଟ ମାଗି ସାରା ଭାରତ ଭ୍ରମଣ କରିଆସୁଛନ୍ତି ଯୁବକ

  • ଅଦ୍ୟାବଧି ୧୯ଟି ରାଜ୍ୟ ବୁଲି ସାରିଲେଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିହାର ପ୍ରଦେଶର ଦରଭଙ୍ଗା ଅଞ୍ଚଳର ୨୩ ବର୍ଷୀୟ ଜଣେ ଯୁବକ ରାଜନ ଝା । ତାଙ୍କ ପିତାଙ୍କ ନାମ ଶଙ୍କର ଝା ଓ ମାତାଙ୍କ ନାମ ଶୈଳୀ ଦେବୀ । ପିତା ନିଜ ଗାଁରେ କୃଷି କାମ କରି କୁଟୁମ୍ବ ଚଳାନ୍ତି । ରାଜନ ଝା ମାନବିକ ଅଧିକାର ବିଷୟରେ ସ୍ନାତକ ଡ଼ିଗ୍ରୀ ହାସଲ କରିଛନ୍ତି । ସେ ପ୍ରଥମେ ଗତ ୧୩ ଅକ୍ଟୋବର ୨୦୨୨ରେ ଉତ୍ତରାଖଣ୍ଡ ଯାଇ କେଦାରନାଥଙ୍କ ଦର୍ଶନ କରି ଭଗବାନ ଶିବଙ୍କୁ ବର ମାଗିଥିଲେ । କିଛି ଭଗବାନଙ୍କୁ ମନାସି ଥିଲେ । ସେଠୁ ସେ ଆଉ ଘରକୁ ଫେରି ନାହାଁନ୍ତି । ତାଙ୍କ ମନ ବୁଝାଣିରେ ସେ ଭାରତ ଭ୍ରମଣରେ ବାହାରି ବହୁ ରାଜ୍ୟ ବୁଲି ସାରିଲେଣି । ଦୂର ଦୂର ସ୍ଥାନ ଚାଲି ଚାଲି ଯାଇ ବାଟରେ ବାଟରେ କାହାକୁ କାହାକୁ ଲିଫ୍ଟ ମାଗିଥାନ୍ତି, ଏମିତି ଲିଫ୍ଟ ମାଗି ମାଗି ବହୁ ଦୂର ଦୂର ସ୍ଥାନ, ଦର୍ଶନୀୟ ସ୍ଥାନକୁ ପରିଦର୍ଶନ କରିବାରେ ଲାଗିଛନ୍ତି । ଏଯାବତ ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲିନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର, ଝାରଖଣ୍ଡ ଡେଇଁ ଏବେ ଓଡ଼ିଶା ବୁଲୁଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ବ୍ରହ୍ମପୁରରେ ଶନିବାର ପହଞ୍ଚିଛନ୍ତି ।

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ତଥା ପ୍ରତ୍ୟକ୍ଷ ଦେବୀ ମା’ତାରାତାରିଣୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ମା’ଙ୍କ ଦର୍ଶନରେ ବିହାରି ଯୁବକ ରାଜନ ଏକ ନିଆରା ଅନୁଭବ କରିଛନ୍ତି ବୋଲି ସେ କହି ଅତ୍ୟନ୍ତ ଖୁସିବ୍ୟକ୍ତ କରି କହିଛନ୍ତି । ରବିବାର ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି । ସେଠାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ ବୋଲି କହିଛନ୍ତି । ବର୍ତ୍ତମାନ ରାଜନ ୧୯ଟି ରାଜ୍ୟ ବୁଲି ସାରିଲେଣି । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଡିସେମ୍ବର ମାସ ଶେଷ ସୁଦ୍ଧା କାଶ୍ମୀର ବୁଲି ପରେ ନିଜ ଜନ୍ମସ୍ଥାନ ବିହାରର ଦରଭଙ୍ଗା ଅଞ୍ଚଳ ଫେରିବେ ବୋଲି ରାଜନ ଆମ ପ୍ରତିନିଧିଙ୍କୁ କହିଛନ୍ତି ।

ଶନିବାର ଦିନ ବ୍ରହ୍ମପୁରରୁ ଭାୟା – ତାରାତାରିଣୀପୀଠ ରାସ୍ତାରେ ଆମ ଜିଲ୍ଲା ପ୍ରତିନିଧିଙ୍କୁ ଭେଟିଥିଲେ । ତାଙ୍କ ସହ ସାକ୍ଷାତ କରି ଏହି ସମସ୍ତ ବୃତ୍ତାନ୍ତ ସଂଗ୍ରହ କରିଥିଲେ । ଏନେଇ ରାଜନ ଅନେକ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.