
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବଙ୍ଗୋପସାଗର ରେ ସୃଷ୍ଟ ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଓଡ଼ିଶାରେ ୨୩ ନଭେମ୍ବର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସତର୍କ କରିଛି । ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି । କାରଣ ଏବେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଧାନ ଅମଳ କ୍ଷମ ଅବସ୍ଥାରେ ରହିଛି । କିଛି ସ୍ଥାନରେ ଧାନ କଟା ସରି ଖଳାରେ ପଡ଼ିଛି, ଆଉ କେତେକ ସ୍ଥାନରେ ଏବେ ବି କ୍ଷେତରେ ଠିଆ ହୋଇଛି । ଆଇଏମ୍ଡି ସୂଚନା ଅନୁସାରେ ୨୦ ଓ ୨୧ ନଭେମ୍ବରରେ ସୁବର୍ଣ୍ଣପୁର ସମେତ ସମ୍ବଲପୁର, ବଲାଙ୍ଗିର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ହଳଦିଆ ସତର୍କତା ଜାରି ହୋଇଛି । ଏହି ସମୟରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ସୋନପୁରରେ ଆଜି ଠାରୁ ହିଁ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହୋଇଯାଇଛି । ଚାଷୀମାନେ କହୁଛନ୍ତି, ଏହି ସମୟରେ ବର୍ଷା ହେଲେ କ୍ଷେତରେ ଥିବା ପାଚିଲା ଧାନ ଶୋଇଯିବ, ଗଜା ବାହାରିବ ଏବଂ ଖଳାରେ ଥିବା ଧାନ ଭିଜି ନଷ୍ଟ ହୋଇଯିବ । ଧାନ ସଂଗ୍ରହ ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏବେ ବର୍ଷା ଚାଷୀଙ୍କ ପାଇଁ ବଡ଼ ବିପଦ ଆଣିଛି । ରାଜ୍ୟ ପାଣିପାଗ ବିଭାଗ ଚାଷୀମାନଙ୍କୁ ବର୍ଷା ପୂର୍ବରୁ ଅମଳ କ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛି । ଖଳାରେ ଥିବା ଧାନକୁ ପଲିଥିନ୍ ଘୋଡ଼ାଇ ରଖିବା, ନାଳ ସଫା କରି ପାଣି ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନେ ପାଣିପାଗ ସୂଚନା ଉପରେ ନଜର ରଖି ଆଗୁଆ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।