pakka

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମରେନ୍ଦ୍ରଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମ

bbehera
  • ଅଂଚଳବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଆମର ଲକ୍ଷ୍ୟ ହେବ : ସମରେନ୍ଦ୍ର
  • ଅର୍ଥନୈତିକ ବିକାଶ ଲୋକଙ୍କ ଜୀବନ ଧାରଣର ମାନ ବଢାଇଥାଏ : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣେ ଲୋକ ପ୍ରତିନିଧି ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିଥାଏ । ଅଂଚଳର ଲୋକଙ୍କ ସର୍ବାଙ୍ଗିନ ବିକାଶ କରିବାର ତାର ଲକ୍ଷ୍ୟ ହୋଇଥାଏ କିନ୍ତୁ ଅଂଚଳର ସର୍ବାଙ୍ଗିନ ବିକାଶ କରିବା ଏତେ ସହଜ ବ୍ୟପାର ନୁହେଁ । ଏହା କରିବାକୁ ହେଲେ ଆମକୁ ଆମ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା କରିବାକୁ ପଡିବ, ଛାତ୍ର ପଢିସାରିବା ପରେ ତାର ପାଖରେ କର୍ମନିଯୁକ୍ତିର ସୁଯୋଗ ପ୍ରଦାନ କରିବାକୁ ପଡିବ । ଆମର ଚାଷୀକୁ ତାର ଅମଳ ପ୍ରକୃତ ମୂଲ୍ୟ ଦେବାକୁ ପଡିବ । ଶ୍ରମିକଙ୍କୁ ଉପଯୁକ୍ତ ସର୍ବନିମ୍ନ ମଜୁରି ପ୍ରଦାନ କରିବାକୁ ପଡିବ । ତାହା ହେଲେ ହିଁ ପ୍ରତ୍ୟକ୍ଷ ଭାବରେ ଅଂଚଳର ଅର୍ଥନୀତିରେ ସେମାନଙ୍କ ସକରାତ୍ମକ ଭାଗିଦାରି ରହିବ ଯାହାକି ଅଂଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଆମେ ଅଂଚଳର ସର୍ବାଙ୍ଗିନ ବିକାଶ କରିପାରିବା ବୋଲି ଆଜି ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନଠାରେ ଆୟୋଜିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମର ଆଲୋଚନା ସମୟରେ ଏଆଇସିସି ସଦସ୍ୟ ତଥା ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଆମ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ନ ଆସିଛି ସେ ପର୍ଯ୍ୟନ୍ତ ଆମେ ଆମର ବିକାଶ ହୋଇଛି ବୋଲି ଚିନ୍ତା କରିପାରିବା ନାହିଁ । ତେଣୁ ଆମ ମୂଳଲକ୍ଷ୍ୟ ଅଂଚଳ ଏବଂ ଅଂଚଳବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ହେବା ଦରକାର ବୋଲି କହିଥିଲେ । ଆଜିର ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ବଲାଙ୍ଗିରରେ କାମ କରୁଥିବା ପ୍ରାୟ ସମସ୍ତ ବୈଦୁତିକ ଏବଂ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସମରେନ୍ଦ୍ରଙ୍କ ସହିତ ବଲାଙ୍ଗିରର ବିକାଶକୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ । ଆଲୋଚନା ବେଳେ ପ୍ରଶ୍ନର ଉତ୍ତରରେ ସମରେନ୍ଦ୍ର କହିଥିଲେ ଯେ ଗୋଟିଏ ଅଂଚଳର ବିକାଶ ସେ ରାଜ୍ୟର ସରକାରଙ୍କ ଯୋଜନା ପ୍ରଣୟନ ଉପରେ ନିର୍ଭର କରିଥାଏ ଏବଂ କେବଳ ଯୋଜନା ପ୍ରଣୟନ ହୋଇଗଲେ ଯେ ବିକାଶ ଅଂଚଳରେ ପଞ୍ଚିଯାଏ ଏହା ମଧ୍ୟ ଭାବିବା ଭୁଲ । ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଯୋଜନା ନିଜ ଅଂଚଳକୁ ଆଣିବା ପାଇଁ ସବୁବେଳେ ଲୋକେ ଏକ ସଶକ୍ତ ଜନପ୍ରତିନିଧି ବାଛିବା ଦରକାର । ଉଦାହରଣ ସ୍ୱରୁପ କୁହାଯାଇପାରେ ଯେ ୨୦୧୪ ମସିହା ପରେ ରାଜ୍ୟ କିଛି ପ୍ରମୁଖ ମେଟ୍ରୋ ସହରରେ ରିଂଗ ରୋଡ ନିର୍ମାଣ ଯୋଜନା ସରକାର କରିଥିଲେ । ସେହି ସମୟରେ ବଲାଙ୍ଗିର ବିଧାୟକ ଲଢେଇ କରି ବଲାଙ୍ଗିର ପାଇଁ ଏକ ରିଂଗ ରୋଡ ଯୋଜନା ଆଣିପାରିବା ତାଙ୍କର ଦକ୍ଷତାକୁ ପ୍ରମାଣିତ କରେ । ଠିକ୍ ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ସାରା ରାଜ୍ୟରେ ୮ଟି ଜାଗାରେ ଅନୁମୋଦନ ପାଇଥିଲା । ସେଥିରେ ମଧ୍ୟ ଆମ ବିଧାୟକ ସେ ସମୟର ରାଜ୍ୟର ଦ୍ୱିତୀୟ ବଡ ପ୍ରକଳ୍ପ କରାବାହାଲ – ଛତାମଖନା ସୁକତେଲ ନଦୀ ଉପରେ ଅନ୍ତଃ ନଦୀ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ (ଆଇଏସ୍‌ଏସ) ପ୍ରକଳ୍ପ ଆମ ଅଂଚଳକୁ ଆଣି ପାରିଥିଲେ । ତେଣୁ ଅଂଚଳର ଅର୍ଥନେତିକ ଅଭିବୃଦ୍ଧି ପାଇଁ ସରକାର କିଭଳି ଯୋଜନା ପ୍ରଣୟନ କରୁଛନ୍ତି ଓ ସେହି ଯୋଜନାକୁ ନିଜ ଅଂଚଳକୁ ଜନ ପ୍ରତିନିଧି ନିଜର ପ୍ରଭାବ ବିସ୍ତାର କରି କେତେ ଶୀଘ୍ର ଆଣି ପାରୁଛି ତାର ଉପରେ ନିର୍ଭର କରୁଛି । ଶିଳ୍ପାୟନ ମଧ୍ୟ ବହୁଳ ପରିମାଣରେ ଅଂଚଳର ଅର୍ଥନୈତିକ ବିକାଶ କରିଥାଏ କିନ୍ତୁ ଶିଳ୍ପାୟନ ପାଇଁ ସରକାର ଅନୁକୂଳ ବାତାବରଣ କରିବା ଦରକାର ଏବଂ ଏଥି ପାଇଁ ପ୍ରମୁଖ ଭାବେ ପ୍ରଥମେ ଗମନାଗମନକୁ ବହୁତ ଉନ୍ନତ କରିବାକୁ ପଡିବ ନ ହେଲେ କୌଣସି ବି ଶିଳ୍ପ ପାଇଁ ପୁଞ୍ଜିନିବେଶ କରିବାକୁ ପୁଞ୍ଜିପତି ଆଗଭର ହେବେ ନାହିଁ । ଆମ ଅଂଚଳକୁ ସ୍ଥଳ ଓ ଆକାଶ ମାର୍ଗରେ ସଂଯୋଗୀକରଣ କରିବାକୁ ପଡିବ ତାହା ହେଲେ ଶିଳ୍ପ କ୍ଷେତ୍ରରେ ଦରକାର ହେଉଥିବା ସମୟ ଓ ପୁଞ୍ଜି ଉଚିତ ବିନିଯୋଗ ହୋଇପାରିବ ଯାହାକି ଆମ ଅଂଚଳକୁ ଶିଳ୍ପ ଆସିବ ବୋଲି ସମରେନ୍ଦ୍ର ମିଶ୍ର ଚହିଥିଲେ । ଏହା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ଆଗାମୀ ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, କର୍ମନିଯୁକ୍ତି ଉପରେ ଦୀର୍ଘସୁତ୍ରି ଯୋଜନାରେ କାମ କରାଯିବ ବୋଲି ସେ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଉ ନିର୍ବାଚନ ନ ଲଢିବା ଘୋଷଣା କରିବା ପରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଧାୟକ ପ୍ରାର୍ଥୀ ଭାବେ ଯୁବନେତା ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ତରଫରୁ ସାମ୍ବାଦିକ ଗୋପବନ୍ଧୁ ଶତପଥି, ବିରେନ୍ଦ୍ର ଝାଙ୍କର, ଜ୍ୟୋସ୍ନାରାଣୀ ଦାଶ, ବିଭୁକଲ୍ୟାଣ ଗଡତ୍ୟା, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଦିପକ ପୁରୋହିତ, ବିଭୁ ମିଶ୍ର, ଶ୍ରୀମନ୍ତ ପଣ୍ଡା, ଚିତ୍ତରଂଜନ ମିଶ୍ର, ନିବେଶ ପାଣିଗ୍ରାହି, ଋତୁରାଜ ସିଂ, ଚନ୍ଦ୍ରଭାନୁ ମୌଳାନା ପ୍ରମୁଖ ସମରେନ୍ଦ୍ରଙ୍କୁ ପ୍ରଶ୍ନ କରି ତାଙ୍କ ଆଗାମୀ ଦିନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

eighteen − 15 =