csstore

ଧନପୁର ଉଚ୍ଚ ଵିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ମୀନଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି ସମାରୋହକୁ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତି ସଭାପତି ପ୍ରିୟରଞ୍ଜନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ମୀନଗୁର ପୂର୍ବତନ ସରପଞ୍ଚ ବିଜୟ କୁମାର ପଣ୍ଡା, ବିଜମରା ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ମାଝୀ, ଧନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ, ମୀନଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପ୍ରସାଦ ନାଏକ ସମ୍ମାନୀୟ ଅତିଥୀ ଭାବେ ଯୋଗ ଦେଇଥିଲେ । ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟର ଅଧ୍ୟାପକ ବଙ୍କିମଚନ୍ଦ୍ର ମୁଣ୍ଡ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥୀମାନେ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ କିଭଳି ହେବା ଉଚିତ ଏବଂ ଲକ୍ଷ୍ୟ ପଥରେ ପହଂଚିବାପାଇଁ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ମୁଣ୍ଡ ତାଙ୍କ ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ବୁଦ୍ଧିଜୀବୀ, ଶିକ୍ଷା ପ୍ରେମୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟର ପରିଚୟରେ ପରିଚିତ ନ ହୋଇ ନିଜେ ନିଜ ପରିଚୟ ସୃଷ୍ଟି କରିବା ସହ ବିଦ୍ୟାଳୟ ଏବଂ ଅଞ୍ଚଳର ପରିଚୟକୁ ଗୌରାବାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଛାତ୍ରୀମାନେ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷକ ବ୍ରଜକିଶୋର ମିଶ୍ର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶିକ୍ଷକ ଅନିଲ କୁମାର ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ସୂର୍ଯ୍ୟ ନାରାୟଣ ଖାଡ଼ଙ୍ଗା ଏବଂ ଅନ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷକ ପ୍ରେମଲାଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.