jayashree

ଚୂଡାଖାଇ ଓ ବାରପାହାଡପୀଠର ରୂପରେଖ ବଦଳିବ

  • ଡିପିଆର ପ୍ରସ୍ତୁତ ପାଇଁ ପର୍ଯ୍ୟଟନ ବିଭାଗର ବୈଷୟିକ ଟିମ୍‌ଙ୍କ ପରିଦର୍ଶନ

ତରଭା, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଉଛନ୍ତି । ତରଭା ବ୍ଲକଅଞ୍ଚଳର ଦୁଇଟିପୀଠର ବିକାଶ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାହାରୀ ଅଞ୍ଚଳବାସୀଙ୍କ ଦାବୀକୁ ନେଇ ତରଭା ନିକଟସ୍ଥ ତୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୂଡାଖାଇ ପାହାଡ(୧କୋଟି ଟଙ୍କା) ଓ ପାଇକବାହାଲ ପଞ୍ଚାୟତର ବାରପାହାଡ ପୀଠ(୨୮.୮୯ ଲକ୍ଷ ଟଙ୍କା)ର ବିକାଶ ପାଇଁ ଅନୁଦାନ ମଞ୍ଜୁର କରାଇଛନ୍ତି । ସୋନପୁର ଜିଲ୍ଲାପ୍ରଶାସନ ଜରିଆରେ ଯାଇଥିବା ପ୍ରସ୍ତାବରେ ରାଜ୍ୟପର୍ଯ୍ୟଟନ ବିଭାଗ ଏହି ଅର୍ଥ ମଞ୍ଜୁର କରିଛନ୍ତି । ସେହି ଅର୍ଥ ଖର୍ଚ୍ଚ କରିବାକୁ ଆବଶ୍ୟକ ଡିପିଆର ପ୍ରସ୍ତୁତ କରିବାକୁ ଆଜି ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ରାଜ୍ୟପର୍ଯ୍ୟଟନ ବିଭାଗର ଏକ ବୈଷୟିକ ଟିମ୍‌ ଆସି ପରିଦର୍ଶନ କରିଛନ୍ତି । ସୋନପୁର ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଥିବା ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଆର୍‌.କେ.ଦଳାଇ, ରାଜ୍ୟ ପର୍ଯ୍ୟଟନ ନିଗମର ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟର ଆର୍କିଟେକ୍ଟ ଆର୍କ ଘୋଷ, ଯନ୍ତ୍ରୀ ବିଶ୍ୱଜିତ ମହାରଣା, ସତ୍ୟମ ପଲାଇ ଆସି ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଥମେ ଏହି ଟିମ୍‌ ଚୂଡାଖାଇ ପର୍ଯ୍ୟଟନସ୍ଥଳୀକୁ ଯାଇଥିଲେ । ସେଠାରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ବିଡିଓ ଅନୀଳ କୁମାର କୁଲୁ, ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ସାହୁ, ଚୂଡାଖାଇ ଉନ୍ନୟନ କମିଟିର ସଭାପତି ଦଶରାଜ ସାହୁ, କନ୍ଧସମାଜର କପୁର୍ଚନ ଭୋଇ ପ୍ରମୁଖ ଉପସ୍ଥିତ ରହି ଏହି ଟିମ୍‌ ସହିତ ଆଲୋଚନା କରିଥିଲେ । ଏଠାରେ ଏ ପର୍ଯ୍ୟନ୍ତ ପାହାଡ ଉପରକୁ ମାତ୍ର କିଛି ଅଂଶ ପାହାଚ ନିର୍ମାଣ ହୋଇଛି । ସେହି ପାହାଚ ପାହାଡର ଉପରମୁଣ୍ଡ ପର୍ଯ୍ୟନ୍ତ କିପରି କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏବେ ଆସିଥିବା ୧କୋଟି ଟଙ୍କାର ଅନୁଦାନରେ କେବଳ ପାହାଡ ଉପରକୁ ପାହାଚ ନିର୍ମାଣ କରିବାକୁ ଉନ୍ନୟନ କମିଟିର ସଭାପତି ଶ୍ରୀ ସାହୁ ପ୍ରସ୍ତାବ ଦେଇଥିଲେ ।

ସେହିପରି ପାଇକବାହାଲ ପଞ୍ଚାୟତର ବାରପାହାଡ ଦେବୀପୀଠରେ ଟିମ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏଠାରେ ପର୍ଯ୍ୟଟନ ବିଭାଗର ଟିମ୍‌ ସହିତ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ବିଡିଓ ଅନୀଳକୁମାର କୁଲୁ, ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ସାହୁ, ସୋନପୁର ରେଞ୍ଜର ସୁଭାଷ ମହାପାତ୍ର, ନାରାୟଣପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, କନିଷ୍ଠଯନ୍ତ୍ରୀ ସୁଶାନ୍ତ ଛତ୍ରିଆ, ପାଇକବାହାଲ ସମିତିସଭ୍ୟ ରାଜକିଶୋର ଭୁଏ, ରାଜପାଲି ଗାଁର ବରିଷ୍ଠ ନାଗରିକ ହୃଷିକେଶ ପଣ୍ଡା, ଅଭିମନ୍ୟୁ ପଣ୍ଡା, ବାସୁଦେବ ପଣ୍ଡା, ବ୍ରାହ୍ମଣୀପାଲି ଭାଗିରଥି ସାହୁ, ଲକ୍ଷ୍ମଣ ବାଗ, ବୁଧୁ ଷାଣ୍ଢ, ଆଞ୍ଚଳିକ ବାରପାହାଡସେନାର କିଶୋର ପଣ୍ଡା, ଗୌତମ ସା, ବାରପାହାଡ ମହୋତ୍ସବ କମିଟିର ରାଜେନ୍ଦ୍ର ପଣ୍ଡା, ଚକ୍ରଧର ସା, ମଦନମୋହନ ପଣ୍ଡା, ମେଣ୍ଡାର ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର, ମହାଦେବ ଜେନା, ଡୁବୁଲ ଦଣ୍ଡସେନା, ବିଭୁତି ଝାଙ୍କର ପ୍ରମୁଖଙ୍କ ସହିତ ପୀଠର ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ । ବାରପାହାଡ ପୀଠଟି ବାରପାହାଡ ରିଜର୍ଭ ଜଙ୍ଗଲ ଭିତରେ ଥିବାରୁ ରାଜ୍ୟ ସରକାର ଦେଇଥିବା ୨୮ଲକ୍ଷ୮୯ହଜାର ଟଙ୍କାର ଅନୁଦାନକୁ ଜଙ୍ଗଲ ବିଭାଗକୁ ଦେବାକୁ ପ୍ରସ୍ତାବ କରାଯାଇଥିଲା । ପର୍ଯ୍ୟଟନ ବିଭାଗ ଖୁବଶୀଘ୍ର ଏନେଇ ଜଙ୍ଗଲ ବିଭାଗକୁ ଚିଠି କରି ଅନୁଦାନ ଦେବ ବୋଲି ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଥିଲେ । ସେହିପରି ବାରପାହାଡ ପୀଠରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହୁଥିବାରୁ ଏଠାରେ ପାନୀୟଜଳ, ପିକନିକ ପିଣ୍ଢି ଓ ସୋଲାର ଲାଇଟର ବ୍ୟବସ୍ଥା କରିବାକୁ ପ୍ରସ୍ତାବ କରାଯାଇଥିଲା । ଆଗକୁ ଜଙ୍ଗଲ ବିଭାଗ ଝରଣାକୁ ଅଟକାଇ ଏକ ଜଳ ସଂରକ୍ଷଣ କେନ୍ଦ୍ର(ଡବ୍ଲୁଏଚ୍‌ଏସ), ଦେବୀପୀଠ ଗୁମ୍ଫା ପର୍ଯ୍ୟନ୍ତ ପାହାଚ ନିର୍ମାଣ, ପ୍ରସ୍ତାବିତ ପ୍ରକଳ୍ପର ଉଭୟ ପଟେ ବନୀକରଣ ଓ ଝରଣା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଉପସ୍ଥିତ ଲୋକମାନେ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଜେନ୍ଦ୍ର ମେହେର, ପିତାମ୍ବର ଦାସ ଜିତୁ ପଣ୍ଡା, ଜିତେନ ପଣ୍ଡା, ନରସିଂହ ପଣ୍ଡା, ଭକ୍ତ ଶିକା, ନାରାୟଣ ବାଗ, ଲକ୍ଷପତି କାଲସାଏ, ମଗଶିର ଷାଣ୍ଢ, ଉଦ୍ଧବ ସା, ସନ୍ତୋଷ ଭୁଏ, ଚିନ୍ତାମଣୀ ସା ପ୍ରମୁଖଙ୍କ ସହ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.