ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଓ ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମର ଉତ୍ପାଦକ ଗୋଷ୍ଠୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବାସୁଦେବ ପଣ୍ଡା ଫାଉଣ୍ଡେସନ ଓ ସଷ୍ଟେନେବଲ ଗ୍ରୀନ୍ ଇନିସେଟିଭର ସହଯୋଗରେ ଶ୍ରମିକ ଶକ୍ତି ସଂଘ ଦ୍ୱାରା ୬୦,୦୦୦ ଅମୃତଭଣ୍ଡା ଚାରା ବଣ୍ଟନ କରାଯାଇଛି । ନିଜ ଘର ପାଖରେ ମହିଳାମାନେ ଏହି ଗଛ ଲଗାଇ ଆଗାମୀ ଦିନରେ ଏହାର କଂଚା ଫଳକୁ ପରିବା ଭାବରେ ବ୍ୟବହାର ସଂଗେ ସଂଗେ ପାଚିଲା ଫଳକୁ ମଧ୍ୟ ଏକ ପୁଷ୍ଟିକର ଖାଦ୍ୟ ହିସାବରେ ନେଇପାରିବେ । ଅମୃତଭଣ୍ଡାରେ କେତେ ପୁଷ୍ଟିକର ତତ୍ତ୍ୱ ଭରି ରହିଛି ତାହା ସମସ୍ତଙ୍କୁ ଜଣା । ପ୍ରକାଶ ଥାଉକି, ଶ୍ରମିକ ଶକ୍ତି ସଂଘ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥା ସହିତ ଯୋଗାଯୋଗ କରି ଫଳ ଚାରା ବଣ୍ଟନ କରି ଏକ ଉଦାହରଣ ସୃଷ୍ଟି କରିପାରିଛି । ଚାଷୀମାନଙ୍କ ମଧ୍ୟରେ ଫଳଗଛ ଚାଷ କରିବା ପାଇଁ ଆଗ୍ରହ ବଢିବାରେ ଲାଗିଛି । ଚଳିତ ବର୍ଷ ଓଡିଶାର ବିଭିନ୍ନ ଜିଲ୍ଲାରେ ବାସୁଦେବ ପଣ୍ଡା ଫାଉଣ୍ଡେସନ ତରଫରୁ ତିନି ଲକ୍ଷ ଫଳ ଚାରା ବଣ୍ଟନ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଶ୍ରମିକ ଶକ୍ତି ସଂଘର ସଭାପତି ଥବିର ସିଂ ଧରୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ସମସ୍ତ କର୍ମୀଙ୍କ ସହଯୋଗରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି ।