pr

କୁମିଆଁପାଲିରେ ‘ସମାଜ’ ରିଲିଫ୍‌ ଦଳ : ବନ୍ୟା ପୀଡ଼ିତଙ୍କୁ ସହାୟତା ବଣ୍ଟନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଶତାୟୁ ଖବରକାଗଜ ‘ସମାଜ’ ଓ ଲୋକସେବକ ମଣ୍ଡଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ କୁମିଆଁପାଲି ଗାଁ’ର ବନ୍ୟାପୀଡ଼ିତଙ୍କୁ ରିଲିଫ ବଣ୍ଟନ କରାଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ବନ୍ୟାପାଣିରେ ଧୋଇ ହୋଇ ଯାଇଥିବାରୁ ରିଲିଫ ବାଣ୍ଟିବାକୁ ବାହାରିଥିବା ଟିମ୍‌ ଦୀର୍ଘ ରାସ୍ତା ବୁଲି ବୁଲି ରିଲିଫ ସାମଗ୍ରୀ ସହ କୁମିଆଁପାଲି ଗାଁରେ ପହଞ୍ଚିଥିଲା । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁର ୮୪ ଆଦିବାସୀ ପରିବାର ବିଭିନ୍ନ ଦାବିରେ ସରକାରଙ୍କ ପାଖରୁ କ୍ଷତିପୂରଣ ଓ ସହାୟତା ଗ୍ରହଣ ନ କରି ବିସ୍ଥାପିତ ହେବାକୁ ମନା କରୁଛନ୍ତି । ଏହି ପରିବାର ଗୁଡ଼ିକ ବିସ୍ଥାପିତ ନ ହୋଇ ଗାଁ’ରେ ବସବାସ କରୁଛନ୍ତି । ଗତ କିଛିଦିନ ତଳେ ଲଗାଣ ବର୍ଷାରେ ଲୋୟର ସୁକତେଲ ପ୍ରକଳ୍ପ ନଦୀବନ୍ଧରେ ଜଳସ୍ତର ବୃଦ୍ଧି ପାଇଥିଲା । ପ୍ରକଳ୍ପ ଉପରମୁଣ୍ଡ ନଦୀବନ୍ଧକୁ ଲାଗି ରହିଥିବା କୁମିଆଁପାଲି ଗାଁକୁ ବନ୍ୟାଜଳ ପ୍ରବେଶ କରିଥିଲା । ଗାଁ’ ତଳିପଡ଼ା ଓ ତେନ୍ତେଲପଡ଼ାର କେତେକ ପରିବାର ପାଣି ଘେରରେ ରହିଥିଲେ । ଗ୍ରାମବାସୀ ଏମାନଙ୍କୁ ପାଣିଘେରରୁ ଉଦ୍ଧାର କରିଥିଲେ । ଗତ ଜୁନ୍‌ ୨୫ ରାତିରେ ପ୍ରବଳ ବର୍ଷା ଯୋଗୁଁ ନଦୀବନ୍ଧରେ ଜଳସ୍ତର ବୃଦ୍ଧି ପାଇ ୨୦୦ ମିଟର ଉପରେ ରହିଥିଲା । କୁମିଆଁପାଲି ଗାଁରେ ବସବାସ କରୁଥିବା ଆଦିବାସୀ ପରିବାରଗୁଡ଼ିକର ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନଦୀବନ୍ଧ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ ୨୬ ତାରିଖ ଅପରାହ୍ଣରେ ନଦୀବନ୍ଧ ଜଳ ନିର୍ଗମନ ପଥ (ସ୍ପିଲ ୱେ)ର ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ପ୍ରାୟ ୭ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯିବା ପରେ ନଦୀବନ୍ଧରେ ଜଳସ୍ତର ହ୍ରାସ ପାଇବା ସହ ଦେଖା ଦେଇଥିବା ବିପଦ ଆଶଙ୍କା ଟଳିଥିଲା । ପ୍ରଶାସନ ପକ୍ଷରୁ ପାଣିଘେରରୁ ଉଦ୍ଧାର ହୋଇଥିବା ପରିବାର ସହ ଗାଁର ଅନ୍ୟ ପରିବାରଙ୍କୁ ପଞ୍ଚାୟତ ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ସେହିଦିନରୁ ଗ୍ରାମବାସୀ ଦୁର୍ଦଶା ମଧ୍ୟରେ କାଳାତିପାତ କରୁଥିବା ବେଳେ ରବିବାର ସକାଳେ ଲୋକସେବକ ମଣ୍ଡଳ ଓ ସମାଜ ପକ୍ଷରୁ କୁମିଆଁପାଲି ଗାଁ’ରେ ୭୫ ବନ୍ୟା ବିପନ୍ନ ପରିବାରଙ୍କୁ ସହାୟତା ବଣ୍ଟନ କରାଯାଇଥିଲା । ସହାୟତାରେ ଚୁଡ଼ା, ଚିନି, ବିସ୍କୁଟ, ବିଶୁଦ୍ଧ ପାଣି ବୋତଲ ସହ ମହମବତୀ ଓ ଦିଆସିଲି ବଣ୍ଟନ କରାଯାଇଥିଲା । ବଲାଙ୍ଗିର ‘ସମାଜ’ ଜିଲ୍ଲା ପ୍ରତିନିଧି ବଳରାମ ମିଶ୍ରଙ୍କ ତତ୍ୱାବଧାନରେ ବରିଷ୍ଠ ବିଡିଇ ରଶ୍ମି ରଞ୍ଜନ ପଟ୍ଟନାୟକ, ବିଡିଇ କରନ୍‌ଜିତ ମହାନ୍ତି, ଅଫିସ ସହାୟକ ସରୋଜ ପଧାନ, ଲୋଇସିଂହା ‘ସମାଜ’ ପ୍ରତିନିଧି ସାରଙ୍ଗ ଭୋଇ ପ୍ରମୁଖ କୁମିଆଁପାଲିରେ ପହଞ୍ଚି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରିଥିଲେ । ବଲାଙ୍ଗିର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପ୍ରତିଷ୍ଠାତା ସଭାପତି ସମାଜସେବୀ ସୋମନାଥ ମିଶ୍ର, ସମାଜସେବୀ ସୁଧାଂଶୁ ଶେଖର ମିଶ୍ର ଓ ସମାଜସେବୀ ମାନସ ପାଣିଗ୍ରାହୀ ପ୍ରମୁଖ ରିଲିଫ୍ ଦଳରେ ସାମିଲ ହୋଇ ସହାୟତା ବଣ୍ଟନରେ ସହଯୋଗ କରିଥିଲେ । ବନ୍ୟା ବିପନ୍ନଙ୍କୁ ଗାଁ’ମଣ୍ଡପରେ ଏକଜୁଟ କରିବା ସହ ରିଲିଫ୍‌ ସାମଗ୍ରୀ ବଣ୍ଟନରେ କୁମିଆଁପାଲିର ରାମଚନ୍ଦ୍ର ବରିହା ସହଯୋଗ କରିଥିଲେ । ଉତ୍କଳମଣିଙ୍କ ପ୍ରତିଷ୍ଠିତ ‘ସମାଜ’ ପକ୍ଷରୁ ବିପତ୍ତି ସମୟରେ ସହଯୋଗର ହାତ ବଢ଼ାଇଥିବାରୁ କୁମିଆଁପାଲିର ବନ୍ୟାବିପନ୍ନ ପରିବାର ‘ସମାଜ’ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.