
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ପରିସରରେ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ତଥା ଛତ୍ରପୁର ସହରାଞ୍ଚଳର ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏଥି ସହିତ ଏଭଳି ଜନସେବା ମୂଳକ କାର୍ଯ୍ୟ ଜାରି ରହୁ ବୋଲି କହି ଅନୁଷ୍ଠାନର ଉଦ୍ୟାକ୍ତାଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ୟୁରୋ-ସ୍କୁଲର ପ୍ରତିଷ୍ଠାତା ତଥା ଯୁବ ଆଇନଜୀବୀ ରଞ୍ଜନ ମହାପାତ୍ର ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ । ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଆଇନ ପରାମର୍ଶ ଦାତା ବିଜୟ କୃଷ୍ଣ ପଟ୍ଟନାୟକ, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଉପଦେଷ୍ଟା ପ୍ରଶାନ୍ତ କୁମାର ଶତପଥୀ, ଯୁଗ୍ମ ସମ୍ପାଦିକା ଗୀତା ସାହୁ ଯୋଗଦେଇ ଟ୍ରଷ୍ଟର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଗଞ୍ଜାମ ମାଟିର କଳା ସଂସ୍କୃତିର ଗୌରବ ଅର୍ଜନ କରିଥିବା ‘ଭାରତ ଲୀଳା’ ଗୁରୁକୁ ସନ୍ତୋଷ ପାଢ଼ୀଙ୍କୁ ନିଜ ସାଧନାରେ ବଞ୍ଚାଇ ରଖିଥିବା ନେଇ ତାଙ୍କରି ଆଦର୍ଶତାକୁ ସମ୍ମାନ ଜଣାଇ ମାନପତ୍ର ସହ ଉପଢ଼ୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ କବି ସୁଶାନ୍ତ ଦାସ, ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ଗୌରୀ ଶତପଥୀ, ବିଦ୍ୟୁତ ବିଭାଗର ଉତ୍ତମ ସେବା ପ୍ରଦାନକାରୀ ଲାଇନମେନ୍ ସମାଜସେବୀ ଦୀନବନ୍ଧୁ ଦାଶ ଏବଂ ପାରଳାମହାରାଜ ଯାନ୍ତ୍ରିକ ମହାବିଦ୍ୟାଳୟର ଶେଷବର୍ଷ ଛାତ୍ରୀ ଜଣେ ଚିତ୍ରଶିଳ୍ପୀ ଓ କବି ଭାବେ ପରିଚିତ କରାଇ ସୁଶ୍ରୀ ଶୁଭସ୍ମିତା ପଣ୍ଡାଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକୀ ଦେଇ ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ସମସ୍ତ କାଉନସିଲର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ବିଧାୟକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ଯୁବ ସମାଜସେବୀ ଦୀପକ ମୁଦୁଲିଙ୍କୁ ତାଙ୍କରି ସେବା ପରାୟଣତାକୁ ସମ୍ମାନ ଜଣାଇ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବିଜେଡି ନେତା ଶଙ୍କର ପ୍ରସାଦ ଦାଶ, ନଗର ବିଜେଡି ସଭାପତି ବି. ରାଜୁବାବୁ, ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଛତ୍ରପୁରର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ତଥା ବରିଷ୍ଠ ନାଗରିକ କମିଟିର ସମ୍ପାଦକ ସୋମନାଥ ସାହୁଙ୍କ ସମେତ ଛତ୍ରପୁର ସହରର ବହୁ ବୁଦ୍ଧିଜୀବୀ, ସମସ୍ତ କାଉନସିଲର, ଜନପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଉପଦେଷ୍ଟା ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମାଜସେବୀ ଦୀପକ ମୁଦୁଲି ରାଧେଶ୍ୟାମ ଫାଉଣ୍ଡେସନକୁ ବୃଦ୍ଧାଶ୍ରମର କାର୍ଯ୍ୟକାରୀ ନିମନ୍ତେ ୫ ବର୍ଷରେ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ମଞ୍ଚରେ ପ୍ରତିଶୃତି ଦେଇ ଅନୁଷ୍ଠାନ ଉତ୍ତୋତ୍ତର ଉନ୍ନତି କାମନା କରିଥିଲେ ।