ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଅଣତିରିଶ ବର୍ଷ ଧରି ୧୯୮୯ ମସିହାର ମାଟ୍ରିକ ବ୍ୟାଚ୍ର ବନ୍ଧୁ ମିଳନ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ନିକଟସ୍ଥ ଖଜୁରପଡ଼ା ସ୍ଥିତ ନବୀନ ଜୈନଙ୍କ ଫାର୍ମ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୩୫ ଜଣ ଛାତ୍ରଙ୍କ ସପରିବାର ମୋଟ ୧୩୯ ଜଣ ଯୋଗଦେଇ ନିଜ ନିଜର ପରିବାର ବର୍ଗଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ନିଜ ପରିବାର ସଦସ୍ୟଙ୍କ ପୁଅ ଝିଅମାନେ ନିଜ ନିଜର ନାଚଗୀତରେ ଏହି ମାହୋଲକୁ ଆହୁରି ଆନନ୍ଦମୟ କରି ଦେଇଥିଲେ । ପରିବାର ସଦସ୍ୟଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭଲ ପ୍ରଦର୍ଶନ କରିଥିବା ସଦସ୍ୟଙ୍କୁ ପୁରସ୍କୃତ କରିଥିଲେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପରିଡ଼ା ଏବଂ ଯୁବ ସାମ୍ୱାଦିକ ସଞ୍ଜୟ କୁମାର ନାୟକ । ଏହି ବ୍ୟାଚ୍ ସଦସ୍ୟଙ୍କ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଏହି ଅବସରରେ ସଙ୍ଗୀତ ମିଳନ ଗ୍ରୁପ ଦ୍ୱାରା ଅତି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଆୟୋଜକ କମିଟିର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସମ୍ପାଦକ ସୁରେଶ ସରାଫ, ଅନ୍ୟମାନଙ୍କ ମଧ୍ୟରେ କ୍ଷୀରୋଦ ଗହୀର, ଅଶୋକ ଭୋଇ, ପ୍ରେମ ଛତ୍ରିଆ, ସୁଶାନ୍ତ ପଣ୍ଡା, ଜୟନ୍ତ ପାଢ଼ୀ, ଜଗଦୀଶ୍ୱର ବେହେରା, ସୁଜିତ୍ ନାଗ, ମୁରଲୀଚନ୍ଦ୍ର ନାଗ, ଦୁର୍ଯ୍ୟୋଧନ ସାହୁ, ମହେନ୍ଦ୍ର ରାଉତ, ପି. ଶଙ୍କର ରାଓଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।