pakka

ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଖରିଫ ଧାନ କ୍ରୟ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ବୈଠକରେ ସ୍ଥିର କରାଯାଇଛି ଏବଂ ଧାନ କ୍ରୟର ନିର୍ଦ୍ଧିଷ୍ଟ ତାରିଖ ସ୍ଥିର ନିମନ୍ତେ ଜିଲ୍ଲାପାଳଙ୍କୁ ବୈଠକରେ ଅନୁରୋଧ କରାଯାଇଛି । ଏଥି ନିମନ୍ତେ ଜିଲ୍ଲାର ୧୦୧ଗୋଟି ସୋସାଇଟି ଜରିଆରେ ଜିଲ୍ଲାର ବିଭିନ୍ନ ବ୍ୟବସ୍ଥିତ ୧୦୭ ଟି ଧାନ କ୍ରୟ କେନ୍ଦ୍ରରୁ ଯୋଗାଣ ନିଗମ ଧାନ କ୍ରୟ କରିବ । ଖରିଫ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ । ଚଳିତ ବର୍ଷ ଏଫଏକ୍ୱିଉ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ୨୦୪୦ ଟଙ୍କା ରହିଥିବା ସୂଚନା ଦିଆଯାଇଛି । ମଣ୍ଡି ଗୁଡିକ ରବିବାର ବ୍ୟତୀତ ସପ୍ତାହକ ୬ ଦିନ ଖୋଲା ରହିବା ସହିତ ସକାଳ ୭ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାନ କିଣାଯିବ । ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୫୫୨୩ ଜଣ ଚାଷୀ ପଂଜିକୃତ ହୋଇଥିବା ଏବଂ ତନ୍ମଧ୍ୟରୁ ୬୫୩୬୦ ଜଣ ଚାଷୀ ଭେଲିଡିସନ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ମଣ୍ଡି ଗୁଡିକରେ କୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ଖରିଫ ଧାନ ବିକ୍ରୟକୁ ସହଜ ଓ ସୁବିଧାରେ କରିପାରିବ ସେଥିପାଇଁ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ତରଫରୁ ଚଳିତ ବର୍ଷ ରବି ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ଓ ଚଳିତ ବର୍ଷ ତ୍ରୁଟି ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବା ସହ ଖରିଫ ଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବାକୁ ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକରେ ବିଧାୟକ ବୀରମହାରାଜପୁର ପଦ୍ମନାଭ ବେହେରା ଯୋଗଦାନ କରି ଜିଲ୍ଲାରେ ଚାଷ ଓ ଚାଷୀର ଗୁରୁତ୍ୱାରୋପ କରିବା ସହ ଜିଲ୍ଲାରେ ଖରିଫ ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସୂଚାରୁ ରୂପେ ପରିଚାଳନା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଭିତ୍ତି ଭୂମିକୁ ଯଥୋଚିତ ପ୍ରସ୍ତୁତି ପାଇଁ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଯୋଗଦାନ କରି ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଖରିଫ ଧାନ କ୍ରୟ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ ସୂର୍ୟ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଓ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି, ଜିଲ୍ଲା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ସାଂସଦଙ୍କ ପ୍ରତିନିଧି, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ ସଭା ପରିଚାଳନା କରିଥିବା ବେଳେ ସୁରେଶ ପାଣିଗ୍ରାହୀ ମୁଖ୍ୟ ଯୋଗାଣ ଅଧିକାରୀ ସ୍ୱାଗତ କରିବା ସହ ଅଧ୍ୟକ୍ଷଙ୍କ ଅନୁମତିରେ ବିବରଣୀ ପାଠ କରି ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 + four =