ଡେଲାଙ୍ଗ ପଞ୍ଚାୟତ ସମିତିର ୩ୟ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ଜାଳି ବୈଠକକୁ ଉଦ୍‌ଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଏବିଡ଼ିଓ ପ୍ରଦୀପ କୁମାର ନାୟକ, ୧୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ୧୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିଶ୍ରୀ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ମଳୟ କୁମାର ମହାନ୍ତି, ସିଡିପିଓ ହାରାମଣି ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣାଙ୍କ ସମେତ ସମସ୍ତ ପଞ୍ଚାୟତରାଜ ପ୍ରତିନିଧି, ବିଭିନ୍ନ ଲାଇନ ବିଭାଗ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା ।ପ୍ରାରମ୍ଭରେ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟାଙ୍କ କାର୍ଯ୍ୟ କ’ଣ ବୋଲି ସିଂହବ୍ରହ୍ମପୁର ପଞ୍ଚାୟତ ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଥିଲେ । ତେବେ ପଞ୍ଚାୟତ ମାନୁଆଲ ଅନୁଯାୟୀ ଗ୍ରାମ ପଞ୍ଚାୟତ ବୈଠକକୁ ସମିତି ସଭ୍ୟ/ସଭ୍ୟାମାନଙ୍କୁ ସରପଞ୍ଚ ମାନେ ନିମନ୍ତ୍ରଣ କରିବା ନିୟମ ରହିଛି ବୋଲି ବିଡିଓ ଶ୍ରୀ ଷଡଙ୍ଗୀ ସ୍ପଷ୍ଟୀକରଣ ଦେବା ସହ ପଞ୍ଚାୟତ ସମିତିରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରଣ ଓ କାର୍ଯ୍ୟାନ୍ବୟନରେ ସମିତି ସଭ୍ୟ/ସଭ୍ୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଡ଼ିଓ ଶ୍ରୀ ଷଡଙ୍ଗୀ ସ୍ପଷ୍ଟ କରିଥିଲେ । ବୈଠକରେ ଗ୍ରାମ ପଞ୍ଚାୟତ ବିଭାଗ, ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ, ସାମାଜିକ ନିରାପତ୍ତା, ପାନୀୟ ଜଳ ଓ ପରିମଳ, ଯୋଗାଣ, କୃଷି, ପଶୁସମ୍ପଦ, ମତ୍ସ, ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ବିଦ୍ୟୁତ, ଉଦ୍ୟାନ କୃଷି ଓ ଜଳସେଚନ ବିଭାଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଗ୍ରାମୀଣ ଆବାସ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଙ୍କ ଅନୁପସ୍ଥିତି ନେଇ ସମସ୍ତ ପଞ୍ଚାୟତରାଜ ପ୍ରତିନିଧିଙ୍କ ସମେତ ଖୋଦ ବିଧାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଆଗାମୀ ଅଧିବେଶନରେ ସମସ୍ତ ଲାଇନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ରହିବାକୁ ବିଧାୟକ ଶ୍ରୀ ମହାରଥୀ କଡା ନିର୍ଦ୍ଦେଶ ଦେଇଥିଲେ । ଘୋରଡ଼ିଆ ଉଚ୍ଚ ବିଦ୍ୟାଳୟର ୫-ଟି କାର୍ୟ୍ୟ ମନ୍ଥର ଗତିରେ ଚାଲୁଥିବା ଓ ଶିକ୍ଷକ ନେଇ ସାଉରିଆ ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ ଉଦବେଗ ପ୍ରକାଶ କରିଥିଲେ । ପଞ୍ଚାୟତର ପାନୀୟ ଜଳ ସମସ୍ୟା ଓ ପଶୁସମ୍ପଦ ଗୃହ ହସ୍ତାନ୍ତର ବିଷୟରେ ସେ ଅଭିଯୋଗ କରିଥିଲେ । ସେହିପରି ମହତାବ ଉଚ୍ଚ ବିଦ୍ୟାଳୟର ୫-ଟି କାର୍ଯ୍ୟରେ ଅନିୟମିତତା ଓ ଅବହେଳା ସମ୍ପର୍କରେ ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଅଜୟ କୁମାର ରାଉତରାୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୫-ଟି ବିଦ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ କଣସବୁ ବ୍ୟବସ୍ଥା ହୋଇଛି ବୋଲି ଗଡ଼ ମୋଟରୀ ପଞ୍ଚାୟତ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ ଜାଣିବାକୁ ଚାହିଁଥିଲେ । ଏପରିକି ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ କେବଳ କାଗଜ କଲମରେ ହୋଇଛି ବୋଲି ୧୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିଶ୍ରୀ ରାଉତରାୟ ଆରୋପ କରିଥିଲେ । ତେବେ ପଞ୍ଚାୟତରାଜ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନ ଉପରେ ଗୁରୁତ୍ୱାରୋପ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବିଧାୟକ ଶ୍ରୀ ମହାରଥୀ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ୫୯ଜଣ ଦିବ୍ୟାଙ୍ଗଙ୍କୁ ଋଣ ପ୍ରଦାନ କରାଯାଇଥିବା ବେଳେ ବ୍ୟାଙ୍କ ସହ ଯୋଗସୂତ୍ର ରଖି ଅବଶିଷ୍ଟ ହିତାଧିକାରୀଙ୍କୁ ତୁରନ୍ତ ଋଣ ପ୍ରଦାନ ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ମହାରଥୀ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ସେମାନଙ୍କ ଘରେ ପହଞ୍ଚି ଭତ୍ତା ପ୍ରଦାନ କରିବାକୁ ଡେଲାଙ୍ଗ-କୋଠବାଡ଼ ସରପଞ୍ଚ ଦୀପକ କୁମାର ସାହୁ ପ୍ରସ୍ତାବ ଦେଇଥିଲେ । ତେବେ ତୁରନ୍ତ ତାଲିକା ପ୍ରଦାନ କଲେ ଘରଦ୍ୱାର ମୁହଁରେ ଭତ୍ତା ବଣ୍ଟନ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ଶ୍ରୀ ଷଡଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଠିକ୍‌ ସମୟରେ ଉପଲବ୍ଧ ହେଉନାହିଁ ବୋଲି ମୁନିନ୍ଦା ପଞ୍ଚାୟତ ସରପଞ୍ଚ ଶେଷଦେବ ବାରିକ ଅଭିଯୋଗ କରିଥିଲେ । ମୋହନପୁର, ଅଳଉତାରେ ପାନୀୟ ଜଳ ସମସ୍ୟା ଉତ୍କଟ ବୋଲି ସେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେଗୁଡିକୁ ତୁରନ୍ତ ସମାଧାନ କରିବାକୁ ବିଧାୟକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ୱାଗତିକା ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଯୋଗ୍ୟ ବିବେଚିତ ଅନ୍ତୋଦୟ ହିତାଧିକାରୀ ଆଜି ପର୍ୟ୍ୟନ୍ତ କାର୍ଡ ପାଇନାହାନ୍ତି ବୋଲି ରେଞ୍ଚ ପଞ୍ଚାୟତ ସମିତି ସଭ୍ୟ ପ୍ରଭାତ ଜେନା ଆରୋପ କରିଥିଲେ । ବୀମା ରାଶି ଜମା କରାଯାଇଥିଲେ ହେଁ ଚାଷୀଙ୍କ ଫସଲ ବୀମା କ୍ଷତିପୂରଣ ମିଳୁନି ବୋଲି ଡେଲାଙ୍ଗ-କୋଠବାଡ଼ ସରପଞ୍ଚ ଦୀପକ କୁମାର ସାହୁ ଏବଂ ମୁନିନ୍ଦା ପଞ୍ଚାୟତ ସରପଞ୍ଚ ଶେଷଦେବ ବାରିକ ଅଭିଯୋଗ କରିଥିଲେ । ବ୍ଲକରେ କେତେ ପୋଖରୀ ଖୋଳା ଯାଇଛି ବୋଲି ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଅଜୟ ରାଉତରାୟ ବିଭାଗୀୟ ଅଧିକାରୀ ଦ୍ଵାରିକାନାଥ ଦାସଙ୍କୁ ପ୍ରଶ୍ନ କରିଥିଲେ । ତେବେ ସବୁ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଜନ ପ୍ରତିନିଧିମାନଙ୍କୁ ଅବଗତ କରାଇବାକୁ ବିଧାୟକ ଶ୍ରୀ ମହାରଥୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ଚଳିତ ବର୍ଷ ମୋ’ ଗୁହାଳ ହିତାଧିକାରୀଙ୍କୁ ଗୁହାଳ ଘର ଯୋଗାଇ ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ମଣିଜିପୁରରେ ଆଦର୍ଶ ବିଦ୍ୟାଳୟ ଗୃହ ସ୍ଥାପନ ପାଇଁ ଦୁଇଥର ଟେଣ୍ଡର ହୋଇଥିଲେ ହେଁ ତାହା ଏ ଯାବତ କାର୍ଯ୍ୟକାରୀ ହୋଇନି ବୋଲି ବିଧାୟକ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଖାଦ୍ୟ ଖସଡ଼ା ତାଲିକା ରଖିବାକୁ ବିଧାୟକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ହାରାମଣି ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁଜନପୁର ପଞ୍ଚାୟତର ମୂଳାପଦା, ଗୋଡିସାହି, ମାଙ୍ଗୁପଡ଼ାରେ ଅଙ୍ଗନବାଡି କେନ୍ଦ୍ର ନାହିଁ ବୋଲି ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହିସବୁ ସ୍ଥାନରେ ଅଙ୍ଗନବାଡି ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସିଡିପିଓ ଶ୍ରୀମତୀ ନାୟକ ସ୍ପଷ୍ଟ କରିଥିଲେ । ଛତୁଆ ପ୍ରସ୍ତୁତ ନିମ୍ନମାନର ହେଉଥିବା ବେଳେ ବ୍ଲକର ଅନ୍ୟ ସ୍ଥାନରେ ଦ୍ଵିତୀୟ ଛତୁଆ ପ୍ଲାଣ୍ଟ ନିର୍ମାଣ ପାଇଁ ସମିତି ସଭ୍ୟ ଅଜୟ କୁମାର ରାଉତରାୟ ଓ ପ୍ରଭାତ ଜେନା ପ୍ରସ୍ତାବ ଦେଇଥିଲେ । ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରୀ ମହାରଥୀ ପ୍ରତିଶ୍ରୁତି ଦେଇଥିଲେ ।ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଶିଶୁ ବିଭାଗ, ମେଡ଼ିସିନ ବିଭାଗରେ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ସରପଞ୍ଚ ଦୀପକ କୁମାର ସାହୁ ଓ ସମିତି ସଭ୍ୟ ଅଜୟ କୁମାର ରାଉତରାୟ ଦାବୀ କରିଥିଲେ । ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ପ୍ରତି ପଞ୍ଚାୟତରେ ଅବସ୍ଥାପିତ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ମିଟର ପରିବର୍ତ୍ତନ କରିବାକୁ ଗଡ଼ମୋଟରୀ ପଞ୍ଚାୟତ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ ପ୍ରସ୍ତାବ ଦେଇଥିଲେ । ତେବେ ନିୟମିତ ବିଦ୍ୟୁତ କାଟ ସମ୍ପର୍କରେ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧି ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ଧାନକେରା ପଞ୍ଚାୟତର ପ୍ରଚଣ୍ଡପୁରରେ ୭ଟି ପରିବାରର ସମସ୍ତ ବିଦ୍ୟୁତ ସରଞ୍ଜାମ ଲାଗିଥିବା ବେଳେ ଏଯାବତ ବିଦ୍ୟୁତ ସଂଯୋଗ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇନାହିଁ ବୋଲି ସରପଞ୍ଚ ଓ ସମିତି ସଭ୍ୟ ଆରୋପ କରିଥିଲେ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମହାରଥୀ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ କୃଷି ବିଭାଗରେ ବ୍ୟାପକ ଅର୍ଥ ହେରଫେର ଓ ଘୋଟାଲା ହୋଇଛି ବୋଲି ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଅଜୟ କୁମାର ରାଉତରାୟ ଆରୋପ କରିବା ସହ ତୁରନ୍ତ ଉଦ୍ୟାନ କୃଷି କାର୍ଯ୍ୟାଳୟକୁ ବେରବୋଇରୁ ବ୍ଲକ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତର କରିବାକୁ ଦାବୀ କରିଥିଲେ । ସେହିପରି ଡେଲାଙ୍ଗରେ ଏକ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ପ୍ରସ୍ତାବ ଦେଇଥିଲେ । ସଭ୍ୟମାନଙ୍କ ଉଦବେଗ ପ୍ରତି ଗୁରୁତ୍ୱ ଦେଇ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବାକୁ ବିଧାୟକ ଶ୍ରୀ ମହାରଥୀ ସବୁ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ବିଡିଓ ଶ୍ରୀ ଷଡଙ୍ଗୀ ସଭାକୁ ସୂଚାରୂପେ ପରିଚାଳନା କରିଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 3 =

error: Content is protected !!