pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ନିମନ୍ତେ ଆଦର୍ଶ ଆଚରଣ ବିଧି ପାଳନ ସମ୍ପର୍କିତ ବୈଠକ

bbehera
  • ମୁକ୍ତ, ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ତଥା କୋଭିଡ଼ କଟକଣା ପାଳନ ପୂର୍ବକ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ତା.୧୬/୦୨/୨୨ରୁ ୨୪/୦୨/୨୨ ପର୍ଯ୍ୟନ୍ତ ବିଭିନ୍ନ ୫ଗୋଟି ପର୍ଯ୍ୟାୟରେ ଜିଲ୍ଲାରେ ଅନୁଷ୍ଠିତ ହେବ । ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ତଥା କୋଭିଡ଼ କଟକଣା ପାଳନ ପୂର୍ବକ ପରିଚାଳନା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧି ତଥା କୋଭିଡ଼ କଟକଣା ପାଳନ ପୂର୍ବକ ନିର୍ବାଚନ ପରିଚାଳନରେ ସହଯୋଗ କରିବାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଆଜି ସ୍ଥାନୀୟ ଡ଼ି.ଆର.ଡ଼ି.ଏ ସମ୍ମିଳନୀ କକ୍ଷଠାରେ ନିର୍ବାଚନ ଆଦର୍ଶ ଆଚରଣ ବିଧିର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ପାଟଣାଗଡ଼ ଉପଖଣ୍ଡ ନିମନ୍ତେ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ମଧୁସୂଦନ ମିଶ୍ର ଓ ଟିଟିଲାଗଡ଼ ଉପଖଣ୍ଡ ନିମନ୍ତେ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ୱନାଥ ସାହୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ଓ କୋଭିଡ଼ କଟକଣାର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ଦଳ ଓ ପ୍ରାର୍ଥୀଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବୈଠକରେ ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ କରିବା, ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ କୋଭିଡ଼ ନିୟମାବଳୀକୁ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନେ ସଠିକ ଭାବେ ପାଳନ ଏବଂ ନିର୍ବାଚନ ପ୍ରଚାର ସମ୍ପର୍କିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀମାନଙ୍କୁ ଅବଗତ କରିଥିଲେ । ଏତଦ୍‌ ବ୍ୟତୀତ ପୋଲିସ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର, ପିଡିଡ଼ିଆରଡ଼ିଏ ସୁଶାନ୍ତ କୁମାର ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ପଟେଲ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଡ.ଗୁଣନିଧି ନାୟକ ନିର୍ବାଚନ ଆଦର୍ଶ ଆଚରଣ ବିଧି, ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ତଥା ଏହାର ହିସାବ, ନିର୍ବାଚନ ସମ୍ପର୍କିତ କୋଭିଡ଼ ନିୟମାବଳୀ ଓ କଟକଣା ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀମାନଙ୍କୁ ଅବଗତ କରିଥିଲେ । ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ଜଣାଇବା ସକାଶେ କଂଟ୍ରୋଲ ରୁମ ଖୋଲାଯାଇଛି । ଯାହାର ନମ୍ବର ୦୬୬୫୨-୨୩୨୦୩୨ ଓ ହ୍ୱାଟସ୍‌ଏପ୍‌ ନମ୍ବର ୯୪୩୭୨୯୯୧୩୪ ଅଟେ ।

jay balangir
Leave A Reply

Your email address will not be published.

16 + 4 =