pakka

୧୫-୧୮ ବର୍ଷ ବୟସ ବର୍ଗ ହିତାଧିକାରୀଙ୍କ କୋଭିଡ ଟୀକାକରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ

bbehera
  • କୋଭାକ୍ସିନ ଟୀକା ନେବେ ହାରାହାରୀ ୩୯୫୫୮ ହିତାଧିକାରୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଅଗାମୀ ୩ ଜାନୁୟରୀରୁ ସୁବର୍ଣ୍ଣପୁର ଜିଲ୍ଲାରେ ୧୫-୧୮ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ ଟୀକାକରଣ ଅନୁଷ୍ଠିତ ହେବ । ଏହି ଟୀକାକରଣର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଥିବା ବେଳେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୦୭ ମସିହା ବା ପୂର୍ବରୁ ଜନ୍ମ ହୋଇଥିବା ୧୫ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ହିତାଧିକାରୀ ଏହି କୋଭିଡ ଟୀକା ନେବା ପାଇଁ ଯୋଗ୍ୟ । ଜିଲ୍ଲାରେ ଥିବା ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଯେପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବଡିଭିଜନସ୍ତରୀୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଗୁଡିକରେ ସ୍ଵତନ୍ତ୍ର ଟୀକାଦାନ କେନ୍ଦ୍ର ସ୍ଥାପନ କରି ଏହି ବର୍ଗର ହାରାହାରୀ ୩୯୫୫୮ ହିତାଧିକାରୀଙ୍କୁ କୋଭିଡ ଟୀକା ପ୍ରଦାନ କରାଯିବ । ଏହି ବୟସ ବର୍ଗର ସମସ୍ତ ହିତାଧିକାରୀଙ୍କୁ କୋଭାକ୍ସିନ୍ ଟୀକାର ଦୁଇଟି ମାତ୍ରା ୨୮ ଦିନ ବ୍ୟବଧାନରେ ପ୍ରଦାନ କରାଯିବ । ହିତାଧିକାରୀ ଚାହିଁଲେ କୋୱିନ ଏପ୍ ମାଧ୍ୟମରେ ଟୀକା ପାଇଁ ନିଜ ନାମକୁ ଅନ୍‌ଲାଇନ ପଞ୍ଜିକରଣ କରିପାରିବେ କିମ୍ବା ଟୀକାକରଣ ସ୍ଥାନକୁ ନିଜ ପରିଚୟ ପତ୍ର ଏବଂ ମୋବାଇଲ ଫୋନ ନମ୍ଵର ସହ ଆସି ନିଜ ନାମ ପଞ୍ଜିକୃତ କରିପାରିବେ । ହାଇସ୍କୁଲ ଏବଂ ଯୁକ୍ତ ଦୁଇ କଲେଜରୁ ଛାତ୍ରୀଛାତ୍ରଙ୍କୁ ଟୀକାକେନ୍ଦ୍ରକୁ ଆଣିବାର ବ୍ୟବସ୍ଥା କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଏହି ଅବସରରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଠିକ୍‌ ସେହିପରି ଗ୍ରାମ୍ୟସ୍ତରରୁ ହିତାଧିକାରୀମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଯାଇ କୋଭିଡ ଟୀକା ନେବା ପାଇଁ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନେ ପ୍ରବର୍ତ୍ତାଇବେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ମଞ୍ଜୁରାଣୀ ସିଂ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.

15 + eighteen =