pakka

ବୌଦ୍ଧ ଜିଲ୍ଲାରେ ସଂରକ୍ଷଣ ତାଲିକାକୁ ନେଇ ବଢୁଛି ଅସନ୍ତୋଷ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସରପଞ୍ଚ ପଦବୀ ଅଣସଂରକ୍ଷିତ ରଖାଯିବା ପାଇଁ ଶତାଧିକ ଲୋକ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଥିବା ଜଣାପଡିଛି । ଗତ ଅକ୍ଟୋବର ମାସରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରକାଶିତ ଚୁଡ଼ାନ୍ତ ତାଲିକାରେ ମନମୁଣ୍ଡା ଗ୍ରାମ ସରପଞ୍ଚ ପଦବୀ ଅଣସଂରକ୍ଷିତ ଥିବା ବେଳେ ବର୍ତ୍ତମାନ ନୂତନ ଭାବେ ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାରେ ତାହାକୁ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ହେତୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଆଜି ମନମୁଣ୍ଡା ଅଂଚଳର ଶତାଧିକ ଲୋକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ଏହାର ପ୍ରତିବାଦ କରିବା ସହ ଅଭିଯୋଗ ପତ୍ର ଦାଖଲ୍ କରିଛନ୍ତି । ସେହିପରି ମନମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୦ ନମ୍ବର୍ ୱାର୍ଡ (ନୁର୍ପା ଅଂଶ)କୁ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ହେତୁ ମଧ୍ୟ ଅଭିଯୋଗ ପତ୍ର ଦାଖଲ୍ ହୋଇଛି । ମହୁଲ ବାହାଲି, ବିଛଣା ପାଟି ଯୋଗୀ ପଦର, ଖଇର ମାଲ୍ ଆଦି ଗ୍ରାମର ୱାର୍ଡଗୁଡିକ ବିଗତ ନିର୍ବାଚନଗୁଡିକରେ ସବୁ ବେଳେ ଅଣସଂରକ୍ଷିତ ରଖାଯାଇଥିବା ବେଳେ ୨୦୧୨ ନିର୍ବାଚନରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ନୁର୍ପା ୧୦ ନମ୍ବର ୱାର୍ଡକୁ ପୁନର୍ବାର ସଂରକ୍ଷିତ ରଖାଯିବା ଘଟଣାକୁ ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବା ସହ ଚୁଡାନ୍ତ ତାଲିକାରେ ପରିବର୍ତ୍ତନ ନ ହେଲେ ଆଗାମୀ ଦିନରେ ଅଦାଲତରେ ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବତନ ସରପଞ୍ଚ ତଥା ଆଇନଜୀବୀ ତ୍ରିନାଥ ପ୍ରଧାନଙ୍କ ସମେତ ପୁର୍ବତନ ୱାର୍ଡ ସଭ୍ୟ ବିଦେଶୀ ପ୍ରଧାନ(ଚେରୁ), ପ୍ରଶାନ୍ତ ତଣ୍ଡିଆ, ଦେବସ୍ବାମୀ ନାଗଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 + 2 =