pakka

ଚାମ୍ବର ଅଫ୍‌ କମର୍ସରେ ରେଳ ଡିଭିଜନ ପାଇଁ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରହିଛି ସଫଳ ରେଳ ଭିତ୍ତିଭୂମି । ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଜରିଆରେ ରାଜସ୍ୱର ସିଂହ ଭାଗ ଅର୍ଥାତ୍ ୭୦ପ୍ରତିଶତ ରାଜସ୍ୱ ଏହି ଅଂଚଳରୁ ଆଦାୟ ହେଉଛି । ସେହିପରି ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ରହିଛି ଆବଶ୍ୟକ ଭିତ୍ତିଭୂମି । ରାଉରକେଲାଠାରେ ରେଳ ଡିଭିଜନ ତଥା ତାଳଚେର ବିମଳାଗଡ ରେଳପଥ ସଂପୂର୍ଣ୍ଣ କରିବା ଭଳି ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଅନୁଷ୍ଠାନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଦାବୀ ପାଇଁ ସାଂସଦ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରମୁଖ କେନ୍ଦ୍ର ସରକାର ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଆବାହକ ସୁମନ ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ୯ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଝାରସୁଗୁଡା ଗ୍ରସ୍ତ ଅବସରରେ ତାଙ୍କୁ ଭେଟକରି ଏହି ଦାବୀକୁ ଉପସ୍ଥାପନ କରିଥିଲେ । ପୁନଶ୍ଚ ଏହି ଦାବୀକୁ ବ୍ୟାପକ କରିବା ପାଇଁ ଶ୍ରୀ ଦତ୍ତଙ୍କ ଆବାହକତ୍ୱରେ ଗତ ୨୧ତାରିଖ ଦିନ ଗୁଣ୍ଡିଚା ମନ୍ଦିରଠାରେ ସର୍ବଦଳୀୟ ବୈଠକରେ ସାଂସଦ ଜୁଏଲ ଓରାମ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ସାମ୍ବାଦିକମାନେ ଯୋଗ ଦେଇ ଏ ସଂପର୍କରେ ସମ୍ମିଳିତ ସ୍ୱର ଉଠାଇ ଏହାକୁ ସମର୍ଥନ ଜଣାଇଥିଲେ । ଶ୍ରୀ ଓରାମ ରାଉରକେଲାରେ ରେଳ ଡିଭିଜନ ଦାବୀର ଯଥାର୍ଥତା ସପକ୍ଷରେ ମତ ରଖିବା ସହ ଏଥିପାଇଁ ସେ ସମସ୍ତ ପ୍ରକାର ସହଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ରାଉରକେଲା ବିମାନ ଘାଟିର ଉନ୍ନତିକରଣ ଓ ୪ସି ଲାଇସେନ୍ସ ବ୍ୟବସ୍ଥା ତ୍ୱରାନ୍ୱିତ ହେଉଥିବା ସଂପର୍କରେ ଆଲୋଚନା କରିଥିଲେ । ଏହି ଦାବୀକୁ ଅଧିକ ବ୍ୟାପକ ଓ କ୍ରିୟାଶୀଳ କରିବା ପାଇଁ ଆବାହକ ଶ୍ରୀ ଦତ୍ତଙ୍କ ଆବାହକତ୍ବରେ ଅନ୍ୟ ଏକ ବୈଠକ ଚାମ୍ବର ଅଫ କମର୍ସ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାମ୍ବର ଅଫ କମର୍ସର କର୍ମକର୍ତ୍ତାଙ୍କ ସହ ସମାଜସେବୀ, ଶ୍ରମିକନେତାମାନେ ଯୋଗ ଦେଇଥିଲେ । ଶ୍ରୀ ଦତ୍ତଙ୍କ ବ୍ୟତୀତ ସର୍ବଶ୍ରୀ ଆର୍ତ୍ତତ୍ରାଣ ମହାରଣା, ପଶୁପତିନାଥ ଚାଟାର୍ଜୀ, ଅଜିତ ନାୟକ, ବିମଳ କୁମାର ବିଶି, ସୁପ୍ରତିକ ମିଶ୍ର, ମିଳନ ମୋଦି, ପ୍ରଭାତ ଟିବ୍ରେୱାଲ, ମନୋଜ କୁମାର ଅଗ୍ରୱାଲ, ଚାମ୍ବର ଅଫ୍‌ କମର୍ସର ସଭାପତି ପ୍ରବିନ ଗର୍ଗ, ନଳିନୀକାନ୍ତ ଧର, ନିହାର ରାୟ, ଶୁଭମ କାପୁର, ଆଲୋକ, ଦିଗମ୍ବର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦାବୀ ସପକ୍ଷରେ ମତ ରଖିଥିଲେ । ଏହି ଆଲୋଚନା ବେଳେ କଲୁଙ୍ଗା ଲାଠିକଟା ବାଇପାଶ ରୋଡ, ରେଳ ଡିଭିଜନ, ବିମାନ ବନ୍ଦରର ୪ସି ଲାଇସେନ୍ସ ତଥା ଏ ସମସ୍ତ ଦାବୀ ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳ ଭେଟି ଅବଗତ କରାଇବେ ବୋଲି ଆଲୋଚନା ହୋଇଥିଲା । ଏହି କାର୍ୟ୍ୟରେ ସହାୟତା ପାଇଁ ସାଂସଦ ଅମର ପଟ୍ଟନାୟକ ଓ ଜୁଏଲ ଓରାମଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ବୈଠକ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

1 × five =