
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପ୍ରାଙ୍ଗଣରେ ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାସଭାର କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକ ବସିଥିଲା । ଉପଦେଷ୍ଟା ଧର୍ମସିଂହ ମିଶ୍ର, ଗିରିଧାରୀ ଶତପଥୀ, ଗୋପବନ୍ଧୁ ପୁରୋହିତ, ଉପ-ସଭାପତି ବିଶ୍ୱନାଥ ମିଶ୍ର, କୋଷାଧ୍ୟକ୍ଷ ପଂଚାନନ ବେଦବାକ୍, କାର୍ଯ୍ୟନିର୍ବାହୀ ସଦସ୍ୟ କେଶବ ଚନ୍ଦ୍ର ମିଶ୍ର, ବାଳକୃଷ୍ଣ ଷଡଙ୍ଗୀ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ପ୍ରଭୁଦତ୍ତ ଶତପଥୀ ପ୍ରମୁଖଙ୍କ ସମ୍ମିଳିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୩ ତାରିଖ ଦିନ ନୃସିଂହ ମନ୍ଦିର ବଲାଙ୍ଗିର ପରିସରରେ ଶ୍ରୀମଦ୍ ଗୀତା ଜୟନ୍ତୀ ପାଳନ ତଥା ଗୀତାଯଜ୍ଞ କରାଯିବାର ସିଦ୍ଧାନ୍ତ ଗୃହୀତ ହେଲା । ଏହା ସହିତ ଆସନ୍ତା ୯ ତାରିଖ ଦିନ ପୁରୀ ଠାରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଂଘର ତ୍ରୈମାସିକ ବୈଠକରେ ଯୋଗ ଦେବା, ମହାସଭାର ସଦସ୍ୟତା ବୃଦ୍ଧି, ଗତ ଦିବସମାଙ୍କରେ ମହାସଭାର ଆୟ ଏବଂ ବ୍ୟୟ ଅନୁମୋଦନ, ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନରେ ଯୋଗଦାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି ସିଦ୍ଧାନ୍ତ ଗ୍ରହଣ କରାଗଲା । ଶେଷରେ ସଂପାଦକ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।