ମେଣ୍ଡାକୁ ବ୍ଲକ ଘୋଷଣା ଦାବି ନେଇ ସର୍ବସାଧାରଣ ବୈଠକ

ତରଭା, (କେପିଏନ୍‌ଏସ୍‌) : ରାଜ୍ୟରେ ନୂତନ ବ୍ଲକ ପୁନଃଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ବିଭିନ୍ନ ସ୍ଥାନରେ ନୂତନ ବ୍ଲକ ଗଠନ ନେଇ ଦାବି ଉଠିଛି । ସେହିକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମ ପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜିଛି । ମେଣ୍ଡାକୁ ବ୍ଲକ ଘୋଷଣା କରିବା ଦାବି ଆଜିର ନୁହଁ । ଦୀର୍ଘ ୩୫ ବର୍ଷ ହେଲା ମେଣ୍ଡା ଗଡତି ଅଞ୍ଚଳକୁ ନେଇ ଏକ ନୂତନ ବ୍ଲକ ଗଠନ କରିବାକୁ ସରକାରଙ୍କ ପାଖରେ ଦାବି ହୋଇଆସୁଛି । ମେଣ୍ଡା ଗୋପାଳଜୀ ମନ୍ଦିର ସମ୍ମୁଖରେ ଅଞ୍ଚଳବାସୀଙ୍କୁ ନେଇ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠକ ଇଂ. ମୁକୁନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁସଂଖ୍ୟାରେ ଲୋକମାନେ ଯୋଗଦେଇ ବ୍ଲକ ଗଠନ ନେଇ ନିଜସ୍ୱ ମତ ଦେଇଥିଲେ । ଏଥିରେ ଐତିହାସିକ ଗ୍ରାମ ମେଣ୍ଡାରେ ବ୍ଲକ କରାଯିବାକୁ ପ୍ରସ୍ତାବ କରାଯାଇଛି । ଏହି ନୂତନ ବ୍ଲକରେ ମେଣ୍ଡା, ରାଣିସର୍ଡା, ଦେଉଳପଦର, ପାଇକବାହାଲ, ପୁଆ, ଜରାଜାରିଂ, ନାରାୟଣପୁର, ବଲାଡି, ଛକୋରମାଲ ଓ ଶିବତଳା ପଞ୍ଚାୟତକୁ ନେଇ ଗଠନ କରାଯିବାକୁ ପ୍ରସ୍ତାବ କରାଯାଇଛି । ଠିକ୍‌ ସେହିପରି ପଞ୍ଚାୟତମାନଙ୍କର ଲୋକ ପ୍ରତିନିଧି ତଥା ଗ୍ରାମ ପଞ୍ଚାୟତର ସହମତି ନେବାକୁ ଆଗକୁ ସମସ୍ତଙ୍କୁ ଯୋଗାଯୋଗ କରାଯିବାକୁ ଏକ କୋର କମିଟି ଗଠନ କରାଯାଇଛି । ଏଥିରେ ସନାତନ କର୍ମୀଙ୍କୁ ସଂଯୋଜକ ଭାବରେ ମନୋନିତ କରାଯାଇଥିବା ବେଳେ ସବ୍ୟସାଚୀ ଦଣ୍ଡସେନା, ବିଭୁତି ଝାଙ୍କର, ରାଜେନ୍ଦ୍ର ପଣ୍ଡା, କିଶୋର ପଣ୍ଡା, ବାଳଗୋପାଳ କର୍ମୀ, ଜିତେନ୍ଦ୍ରିୟ ପଣ୍ଡା, ଭୀକାରୀ ମେହେର, ସନ୍ତୋଷ ଦାସ, ବୃନ୍ଦାବନ ବାଦୀ, ତୀର୍ଥ ମହାକୁର, ଧନ୍ୟବାନ କଠାର, ହୃଷିକେଶ ପାତ୍ର, ଅନିରୁଦ୍ଧ ଟାଲି, ପ୍ରସାଦୀ କର୍ଣ୍ଣ, ଟଙ୍କଧର ମେହେର ପ୍ରମୁଖ ରହିଛନ୍ତି । ପ୍ରସ୍ତାବିତ ବ୍ଲକ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଲୋକ ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏମାନେ ଭେଟି ଆଲୋଚନା କରିବେ । ମେଣ୍ଡାକୁ ବ୍ଲକ ଘୋଷଣା କରିବା ଦାବିକୁ ଲୋକାଭିମୁଖି କରିବାକୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଯୁବକମାନେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କୋର କମିଟି ଜନସଂମ୍ପର୍କ କରିବା ପରେ ଫେବୃୟାରୀ ୨୩ ତାରିଖରେ ଦ୍ୱିତୀୟ ବୈଠକ କରିବାକୁ ପ୍ରସ୍ତାବ କରାଯାଇଛି । ସୂଚନାରୁ ପ୍ରକାଶ ଯେ, ସୋନପୁର ଗଡଜାତ ସମୟରୁ ମେଣ୍ଡା ଅଞ୍ଚଳ ଏକ ପ୍ରମୁଖ ଅଞ୍ଚଳ ହୋଇଆସିଛି । ଗଡଜାତ ରାଜ୍ୟ ସମୟରେ ମେଣ୍ଡା ଏକ ଗଡଥିଲା ଓ ଏହାର ଗଡତ୍ୟାଙ୍କ ଅଧିନରେ ପ୍ରାୟ ୫୫ଟି ଗ୍ରାମ ରହିଥିଲା । ସେହି ସମୟରେ ମେଣ୍ଡାରେ ରାଜାଙ୍କ ଧାନଘର ସହ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏକ ଥାନା ରହିଥିଲା । କିନ୍ତୁ ସ୍ୱାଧିନତା ପରେ ଏହି ଅଞ୍ଚଳକୁ ଅବହେଳିତ କରି ରଖାଗଲା । କିନ୍ତୁ ତଥାପି ଅଞ୍ଚଳର ଲୋକଙ୍କ ଉଦ୍ୟମରେ ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ହାଇସ୍କୁଲଠାରୁ ଆରମ୍ଭ କରି ଡିଗ୍ରୀ କଲେଜ ପର୍ଯ୍ୟନ୍ତ ଅନୁଷ୍ଠାନ ଖୋଲାଯାଇ ପାରିଛି । ସେହିପରି ଡାକ୍ତରଖାନା, ପଶୁ ଡାକ୍ତରଖାନା, ଫାଣ୍ଡି ଇତ୍ୟାଦି ଚାଲିଛି । ଶାସନ ବ୍ୟବସ୍ଥାକୁ ଦେଖିଲେ ଏବେ ତରଭା ବ୍ଲକ ଅଧିନରେ ରହିଛି । କିନ୍ତୁ ରାଣୀସର୍ଡାର ଶେଷ ଗାଁ କୁମୁଣ୍ଡେଠାରୁ ବ୍ଲକ କାର୍ଯ୍ୟାଳୟର ଦୂରତା ପ୍ରାୟ ୩୫ କିମି ରହିଛି । ମେଣ୍ଡାରୁ ମଧ୍ୟ ବ୍ଲକ କାର୍ଯ୍ୟାଳୟକୁ ୨୫କିମି ରହିଛି । ସରକାର ଦ୍ୱାର ମୁହଁରେ ପ୍ରଶାସନ କଥା କହୁଥିବା ବେଳେ ଏହି ଅଞ୍ଚଳର ଲୋକେ ସରକାରୀ କାର୍ଯ୍ୟ ପାଇଁ ୨୫ କିମି ଦୂରରେ ଥିବା ବ୍ଲକ କାର୍ଯ୍ୟାଳୟକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ସେହି ଦୃଷ୍ଟିରୁ ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ମେଣ୍ଡାଠାରେ ବ୍ଲକ କାର୍ଯ୍ୟାଳୟ କରିବାକୁ ଦାବି ହୋଇଆସୁଛି । ୯୦ ଦଶକରୁ ମେଣ୍ଡାକୁ ବ୍ଲକ ଘୋଷଣା କରିବାକୁ ଦାବି ହୋଇଆସୁଛି । ଏବେ ମୋହନ ସରକାର ନୂତନ ବ୍ଲକ ପୁନଃଗଠନ ପ୍ରକ୍ରିୟାରେ ମେଣ୍ଡାକୁ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ସମସ୍ତଙ୍କ ସମ୍ମତିରେ ଖୁବଶୀଘ୍ର ବ୍ଲକ ପୁନଃଗଠନ ନେଇ ଏକ ଚିଠା ପ୍ରସ୍ତାବ କରାଯାଇ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ପ୍ରସ୍ତାବ କରାଯାଇଛି ।

Leave A Reply

Your email address will not be published.