ଓଡିଶା ଖାଦ୍ୟ ଆୟୋଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

  • ଖାଦ୍ୟ ନିରାପତ୍ତା ଯୋଜନାରେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ଅଛନ୍ତି ବୋଲି ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ସୂଚନା

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ବୁଧବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହିତ କ୍ଷେତ୍ର ପ୍ରଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଖାଦ୍ୟ ନିରାପତ୍ତା ଯୋଜନାରେ ଓଡିଶାରେ ସମସ୍ତ ଜିଲ୍ଲା ମଧ୍ୟରୁ ଅଧିକ ହିତାଧିକାରୀ ରହିଥିବା ପ୍ରକାଶ କରିଥିଲେ । ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମଗୁଡିକ କିଭଳି ଚାଲିଛି, ତାହାର ତଦାରଖ କରିଥିଲେ । ରାସନକାର୍ଡ ବ୍ୟବସ୍ଥାରେ ଯୋଗାଣ ବ୍ୟବସ୍ଥାକୁ ସୁରୁଖୁରୁରେ ବିତରଣ ନିମନ୍ତେ ସମସ୍ତ ଗ୍ରାମ ପଞ୍ଚାୟତରେ ରହିଥିବା ଗୋଦାମ ଗୃହରେ ସିସିଟିଭି ବ୍ୟବସ୍ଥା କରିବାକୁ ଜଣାଇଥିଲେ । ବୁଧବାର ପୂର୍ବାହ୍ନରେ ଛତ୍ରପୁରସ୍ଥ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ହୋଇଥିବା ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସାମାଜିକ ସୁରକ୍ଷା ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲାରେ ୨୦୧୧ ମସିହା ଜନଗଣନା ଅନୁସାରେ ୩୫ ଲକ୍ଷ ୨୯ ହଜାର, ୨୯୪ ଜନ ସଂଖ୍ୟା ରହିଛି । ଜିଲ୍ଲାରେ ଥିବା ୩୨୫୦ଗୋଟି ଗ୍ରାମ, ୨୨ ଗୋଟି ବ୍ଲକ୍‌, ୧୮ ଗୋଟି ସହରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ରହିଛି । ଏହାକୁ ଆଧାର କରି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ୨୫୦୮୯୪୦ ଜଣ ଅନ୍ତର୍ଭୁକ୍ତ ଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ୩୩୬୦୪ ପରିବାରର ୯୯୭୪୩ ଜଣ ବ୍ୟକ୍ତି ଉପକୃତ ଅଛନ୍ତି ୬୭୨ ଗୋଟି ଏଫ୍.ପି.ଏସ୍.ରେ ଅନ୍ତର୍ଭୁକ୍ତ ଅଛନ୍ତି । ନୂତନ ରାସନ କାର୍ଡ ସକାଶେ ଚଳିତ ମାର୍ଚ୍ଚ ସୁଦ୍ଧା ୨୩୦୪ ଜଣଙ୍କ ଆବେଦନ ଗ୍ରହଣ କରାଯାଇ ୨୧୦୪ ଗୋଟି ଆବେଦନ ମଞ୍ଜୁର ହୋଇ ସାରିଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଅବଗତ କରାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ସକାଶେ ୫୫୮ ଗୋଟି ଜନ ଶୁଣାଣି କରାଯାଇ ୪୯୮ ଗୋଟି ଆବେଦନର ଶୁଣାଣି ହୋଇପାରିଛି । ଜିଲ୍ଲା ଶିକ୍ଷା ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷରେ ଖାଦ୍ୟ ନିରାପତ୍ତା ବାବଦକୁ ୩୦୮୪ ଗୋଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି । ୩୪୨୫୭୭ ଜଣ ହିତାଧିକାରୀ ଏହି ଯୋଜନାର ଲାଭ ନେଉଛନ୍ତି ବୋଲି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି । ବେସରକାରୀ କୋଠାରେ ଯେଉଁଠି ଗୋଦାମ ହୋଇଛି ସେଗୁଡିକ ସରକାରୀ କୋଠାକୁ ସ୍ଥାନାନ୍ତର କରିବାକୁ ମତ ଦେଇଥିଲେ, ଜିଲ୍ଲା ପରିଷଦ ବୈଠକରେ ଭିଜିଲାନ୍ସ କମିଟି ଗଠନ ପ୍ରସ୍ତାବ ଆଗତ କରିବାକୁ ଜଣାଇଥିଲେ । ବସ୍ତି ଅଞ୍ଚଳଗୁଡିକରେ ରହୁଥିବା ପରିବାର ବର୍ଗଙ୍କ ମା’ ଗଣ ଶ୍ରମ ଖଟିବାକୁ ଯାଆନ୍ତି, ତେଣୁ ସେମାନଙ୍କ ପିଲାମାନେ କେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ସେହି ଅଞ୍ଚଳରେ ବସବାସ କରୁଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରି ଶିକ୍ଷା ବ୍ୟବସ୍ଥାରେ ଯୋଡିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶ୍ରମ ଖଟିବାକୁ ଯିବା ପୂର୍ବରୁ ପିଲାମାନଙ୍କ ମା’ମାନେ ଉକ୍ତ କେନ୍ଦ୍ରରେ ନିଜର ପିଲାମାନଙ୍କୁ ଛାଡିବେ ଏବଂ କାମ ସାରି ଫେରିବା ପରେ ନିଜ ପିଲାଙ୍କୁ ନିଜ ଘରକୁ ନେବେ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟ ପ୍ରଭୃତିର ବ୍ୟବସ୍ଥା ଉକ୍ତ କେନ୍ଦ୍ରରେ କରିବାକୁ ଜଣାଇଥିଲେ । ଏହି ଦିଗରେ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଅବଗତ କରାଇଥିଲେ ।

Leave A Reply

Your email address will not be published.

14 + 14 =