ବୁକୁରାମୁଣ୍ତା ସିଏଚସି ଏକାଉଟେଣ୍ଟଙ୍କୁ ବଦଳି ନକରିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ତା ଗ୍ରାମବାସୀଙ୍କ ପକ୍ଷରୁ ଆଜି ସିଏଚସି.ର ଏକାଉଟେଣ୍ଟଙ୍କୁ ବଦଳି ନ କରିବାକୁ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଯେ, ପାଇକମାଲ ବ୍ଲକ ବୁକୁରାମୁଣ୍ତା ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ଭାବରେ ପରିଚିତ । ଆଜକୁ ଦୀର୍ଘ ୫୦ ବର୍ଷ ହେଲାଣି ବୁକୁରାମୁଣ୍ତାରେ ପିଏଚସିରୁ ଏଏଚସି ରୂପେ ଡାକ୍ତରଖାନା ପ୍ରତିଷ୍ଠା ହୋଇଅଛି । ବୁକୁରାମୁଣ୍ତା ଆଖପାଖ ଅଞ୍ଚଳରେ ଥିବା ଗ୍ରାମଗୁଡିକର ଲୋକମାନେ ଏହି ଡାକ୍ତରଖାନାରେ ରୋଗୀ ସେବା ଉପରେ ନିର୍ଭର କରିଥାନ୍ତି । ଏହି ଡାକ୍ତରଖାନାରେ ଚାରି ଜଣ ଡାକ୍ତର ଆଗରୁ ନିଯୁକ୍ତି ପାଇ ଉପଯୁକ୍ତ ଚିକିତ୍ସା ପ୍ରଦାନ କରୁଥିଲେ । କିଛି ବର୍ଷ ପରେ ସମସ୍ତ ଡାକ୍ତରମାନଙ୍କୁ ବଦଳି କରି ଡାକ୍ତରଖାନା ଶୂନ୍ୟ କରି ଦେଇଥିଲେ । ଏଥିପାଇଁ ଅନେକ ଆନ୍ଦୋଳନ ଅନଶନ ହୋଇ ପ୍ରତିବାଦ କରାଯାଇଛି । ଏବେ କେତେ ଜଣ ଡାକ୍ତର ରହି ଉତ୍ତମ ସେବା ଯୋଗାଇ ଦେଉଛନ୍ତି । ମାତ୍ର ଏହି ପରିପ୍ରେକ୍ଷୀରେ ଏକାଉଟେଣ୍ଟ ସୁବ୍ରତ ବିଶ୍ୱାଳଙ୍କୁ ଅନ୍ୟତ୍ର ବଦଳି କରାଯିବାର ଶୁଣା ଯାଉଛି । ସେ ଜଣେ ଉତ୍ତମ କାର୍ୟ୍ୟକ୍ଷମ କର୍ମଚାରୀ ଅଟନ୍ତି । ତାଙ୍କୁ ଯଦି ଅନ୍ୟତ୍ର ବଦଳି କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପାଇଁ ବୁକୁରାମୁଣ୍ତା ଗ୍ରାମବାସୀ ପକ୍ଷରୁ ଚେତାବନୀ ଦେଇଛନ୍ତି । ବରଗଡ଼ ଜିଲ୍ଲାପାଳ, ପଦ୍ମପୁର ଏସଡିଏମଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ଦେବା ସମୟରେ ବୁକୁରାମୁଣ୍ତା ଗ୍ରାମବାସୀ ସର୍ବଶ୍ରୀ ସରୋଜ ବାରିକ, ବିନୋଦ ସେଠ, ସିଲାଜିତ ସାହୁ, ସମିତି ସଭ୍ୟ ଜଗନ୍ନାଥ ଛତ୍ରିଆ, ଲିଙ୍ଗରାଜ ପ୍ରଧାନ, ଅଶୋକ ଭୋଇ, ହାରାଧନ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.