jayashree

ହାଇଦ୍ରାବାଦରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ତରଫରୁ ଅକ୍ଟୋବର ଚାରି ତାରିଖ ଦିନ ବଜ୍ଞାରା ହିଲସର ଆଦିବାସୀ ଭବନ ଠାରେ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଛତର୍ ଶୋଭାଯାତ୍ରା ସହ ମହିଳା ମାନଙ୍କର ଧରତୀ ମାତା ବନ୍ଦନା ଏବଂ ଇଷ୍ଟଦେବୀ ମା’ ସମଲେଇଙ୍କ ପୂଜାର୍ଚ୍ଚନା ପରେ ଆକର୍ଷଣୀୟ ସାଂସ୍କୃତିକ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆୟକର ବିଭାଗର ଏଡିସିନାଲ୍ କମିଶନର୍ ଆଶୁତୋଷ ପ୍ରଧାନ ଏବଂ ବିଶିଷ୍ଠ କବି ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଦୁର୍ଗା ମାଧବ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଡ. ରଞ୍ଜନ ଅଗ୍ରୱାଲ, ଯୁଗ୍ମ କମିଶନର, ଆୟକର ବିଭାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ତାଙ୍କର ନୂଆଁଖାଇ ବାର୍ତ୍ତାରେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଉନ୍ନତି ସହ ପ୍ରଶାସନିକ ସେବାରେ କେମିତି ଛାତ୍ରଛାତ୍ରୀ ସଫଳତା ପାଇବେ ସେ ଉପରେ ମଧ୍ୟ ସମସ୍ତେ ଚେଷ୍ଟିତ ହେବାକୁ କହିଥିଲେ । ବିଶିଷ୍ଠ ବ୍ୟଙ୍ଗ କବି ତଥା ଗୀତିକାର ଦୁର୍ଗା ମାଧବ ପଣ୍ଡାଙ୍କୁ “ତେଲାଙ୍ଗାନା-କୋଶଲ ଓସାକା ସାହିତ୍ୟ ସଂସ୍କୃତି “ସମ୍ମାନ ଏବଂ ଜଣାଶୁଣା କଣ୍ଠଶିଳ୍ପୀ ନୀଳାଞ୍ଚଳ ପାନ୍, ସଂଗୀତଜ୍ଞ ମଙ୍ଗଲ ତାଣ୍ଡି, ମୟୂରୀ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଉଦ୍ଧବ ଭିତ୍ରିଆ, କଣ୍ଠଶିଳ୍ପୀ ଦଶରଥ ବାଗ ଓ ସଂସ୍କୃତି ବିଭାଗରୁ ଫେଲୋସିପ ପାଇଥିବା ଦୁଲ୍ ଫୁଲ ଦଳର ଢୁଲିଆ କୈଳାସ ଚନ୍ଦ୍ର ନାଗଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା । ଓଡିଶା ସରକାର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ଦୁଲ୍ ଫୁଲ୍ କଳା ପରିଷଦ୍” ଭୂତିବାହାଲ୍, ବରଗଡ ଜିଲ୍ଲାର କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ଲୋକନୃତ୍ୟ ଲୋକଙ୍କୁ ବିମୋହିତ କରିଥିଲା । ନୀଳାଞ୍ଚଳ ପାନ୍‌ଙ୍କ ସଂଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ । ଦଶରଥ ବାଗ୍, ସ୍ୱାଗ୍ ସିଷ୍ଟର୍ ଏବଂ ମୌସୁମୀ ମହାରଣାଙ୍କର ସମ୍ବଲପୁରୀ ଗୀତ ବେଶ୍ ମନଛୁଆଁ ଥିଲା । ହାଇଦ୍ରାବାଦରେ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ଚିଚିଣ୍ଡାର ବୁଣାକାର ହରିଶଙ୍କର ମେହେରଙ୍କ ପ୍ରଦର୍ଶନୀ ଏବଂ ସେଲ୍ ତଥା ଓସାକାର ଫେସନ୍ ଶୋ ମଧ୍ୟ ଆୟୋଜିତ ହୋଇଥିଲା । ଗ୍ରାମାଞ୍ଚଳର ହସ୍ତତନ୍ତକୁ ନେଇ ରଘୁନାଥ ରଣାଙ୍କ ନେତୃତ୍ୱରେ ଆୟୋଜିତ ହାଟ୍ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ସୃଷ୍ଟି କରିଥିଲା । ଏହି ଅବସରରେ ଓସାକାର ବାର୍ଷିକ ସ୍ମରଣୀକା “ମାଟିର ମହକ୍” ଉନ୍ମୋଚନ ହେବା ସହ ମା’ ମାଟିର କୁଇଜ୍ ପ୍ରତିଯୋଗିତା ମଧ୍ୟ କରାହୋଇଥିଲା । ପାଟଣାଗଡରୁ ଆସିଥିବା ରାଧେଶ୍ୟାମ କେଟେରିଙ୍ଗ୍ ସର୍ଭିସର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବେଶ୍ ସୁସ୍ୱାଦୁ ଥିଲା । ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ମଞ୍ଚ ସଞ୍ଚାଳନ କରିଥିଲେ ଯୁବ ପ୍ରତିଭା ସାହିତ୍ୟ ସଙ୍ଗଠକ ଅର୍ଜୁନ କୁମାର ସାହୁ ଓ ଆଭାସୀ ବାଗ । ଓସାକାର ସଭାପତି ସୁନୀଲ କୁମାର ଗଡ଼ତ୍ୟା ତାଙ୍କର ନୂଆଁଖାଇ ବାର୍ତ୍ତାରେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ହାଇଦ୍ରାବାଦ ସ୍ଥିତ ବିଶେଷଜ୍ଞ ମାନଙ୍କୁ ନେଇ ଓସାକା କାର୍ଯ୍ୟକ୍ରମ କରିବାକୁ ସୂଚନା ଦେଇଥିଲେ । ଶେଷରେ ସଫଳତାର ସହ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସମସ୍ତଙ୍କୁ ଓସାକାର ସାଧାରଣ ସମ୍ପାଦକ ସମୀର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.