jayashree

ସ୍ୱତନ୍ତ୍ର ଟିମ୍ ସହ ଗଞ୍ଜାମଜିଲ୍ଲା ଗସ୍ତରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳିକାଟୁ ଅଞ୍ଚଳର ତିନି ବର୍ଷର ମାଆକୁ ହରେଇଥିବା ଶିଶୁର ସମସ୍ତ କଥା ବୁଝିଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର । ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଏକ ସ୍ୱତନ୍ତ୍ର ଟିମଙ୍କ ମଧ୍ୟରେ ସଦସ୍ୟା କସ୍ତୁରୀ ମିଶ୍ର ଓ ମନସ୍ମିତା ଖୁଣ୍ଟିଆ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ । ଉତ୍କଳ ବାଳାଶ୍ରମ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ହିଞ୍ଜିଳି ପୋଲିସଷ୍ଟେସନ୍ ପରିଦର୍ଶନ କରିବା ସହିତ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରିଥିଲେ । ଉତ୍କଳ ବାଳାଶ୍ରମରେ ଶିଶୁମାନଙ୍କ ରକ୍ଷଣା ବେକ୍ଷଣ ଓ ଖାଦ୍ୟ ପାନୀୟର ମାନ ଯାଞ୍ଚ କରିବା ସହିତ ନିକଟ ଅତୀତରେ ହିଞ୍ଜିଳିକାଟୁ ଅଞ୍ଚଳରେ ମାଆକୁ ହରେଇଥିବା ତିନି ବର୍ଷ ଶିଶୁର ସମସ୍ତ କଥା ପଚାରି ବୁଝିଥିଲେ । ଏହି ଶିଶୁ ବା ରାଜ୍ୟର ଯେକୌଣସି ଶିଶୁ ସେମାନଙ୍କ ଅଧିକାରରୁ ଯେପରି ବଞ୍ଚିତ ନ ହୁଅନ୍ତି ଏବଂ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାର ସଦା ସଂକଳ୍ପବଦ୍ଧ ବୋଲି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ପ୍ରକାଶ କରିଛନ୍ତି । ଦୁଇମାସ ମଧ୍ୟରେ ଯଦି ଶିଶୁକୁ ତାର ରକ୍ତ ସମ୍ପର୍କିୟମାନେ ନନିଅନ୍ତି ତାହାହେଲେ ସରକାରୀ ନୀତି ନିୟମ ଅନୁପାଳନ ପୂର୍ବକ ଶିଶୁଟିକୁ କାରାକୁ ପ୍ରେରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ୟାଳୟ, ବ୍ରହ୍ମପୁରର ଏସ୍.ଏନ୍.ସି.ୟୁ., ମିକୁ, ମଦର କେୟାର ସେଣ୍ଟରରେ ଉପଲବ୍ଧ ସୁବିଧାକୁ ନେଇ ସଦସ୍ୟାମାନେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ସବୁ ସ୍ଥାନରେ ଆବଶ୍ୟକ ହେଉଥିବା ଆହୁରି ଉନ୍ନତମାନର ସୁବିଧା ଓ ଭେଷଜ ମହାବିଦ୍ୟାଳୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି । ଏହା ବ୍ୟତୀତ ସେମାନେ ବିଭିନ୍ନ ଇଟାଭାଟି ଓ ଛତୁଆ ସେଣ୍ଟରକୁ ଅପ୍ରତ୍ୟାଶିତ ଭାବରେ ଯାଇ ଇଟାଭାଟିରେ ଶିଶୁମାନେ କାମ କରୁଛନ୍ତି କି ନାହିଁ ସେ କଥା ଅନୁସନ୍ଧାନ କରିବା ସହିତ ଛତୁଆର ମାନ ଯାଞ୍ଚ କରିଥିଲେ । ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.