jayashree

ଗଞ୍ଜାମ ଜିଲ୍ଲାର ଡି.ଇ.ଓ ଅଫିସରେ ଚାଲୁଥିବା ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ପାଇଁ ଓଷ୍ଟା ପକ୍ଷରୁ ଆହ୍ୱାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଗଞ୍ଜାମ ଜିଲ୍ଲାର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବଟେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି । ନବନିର୍ବାଚିତ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ବୈଠକରେ ଓଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟଅତିଥି ରୂପେ ଯୋଗଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଆଲୋଚନା କରି ସେ ସବୁର ସମାଧାନ କରିବାରେ ରାଜ୍ୟ ସରକାରଙ୍କ କାଳ କ୍ଷେପଣ ନୀତି ବିରୁଦ୍ଧରେ ସମାଲୋଚନା କରିଥିଲେ । ଏପରିକି ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ଟାଳଟୁଳନିତି ଅବଲମ୍ଵନ କରୁଛନ୍ତି । ଏହା ବିରୁଦ୍ଧରେ ଆନ୍ଦୋଳନ ପାଇଁ ସମସ୍ତ ଶିକ୍ଷକ ସମାଜ ଐକ୍ୟବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ । ଓଷ୍ଟାର ପ୍ରାକ୍ତନ କୋଷାଧ୍ୟକ୍ଷ ତଥା ଗଞ୍ଜାମର ପୂର୍ବତନ ସମ୍ପାଦକ କାମରାଜୁ ମହାରଣା ଓଷ୍ଟା ଗଠନରେ ଗଞ୍ଜାମର ତତ୍କାଳୀନ ଶିକ୍ଷକ ସମାଜର ଭୂମିକା ଏବଂ ଗଞ୍ଜାମର ଶିକ୍ଷକ ସଂଗଠନର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ ଗଞ୍ଜାମ ସଂଗଠନକୁ ଅଧିକ ଶାଣିତ କରି ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ । ନବନିର୍ବାଚିତ ସମ୍ପାଦକ ରାମଚନ୍ଦ୍ର ପଲେଇ ନୂତନ କାର୍ଯ୍ୟକାରୀ କମିଟିର କାର୍ଯ୍ୟ ଶୈଳୀ ଉପରେ ନିଜର ଚିନ୍ତନ ପ୍ରକାଶ କରିଥିଲେ ଏବଂ ଡି. ଇ. ଓ ଅଫିସ ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଂଗଠନର ତରିକା ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ମକର୍ତ୍ତା ବୃନ୍ଦ ଲକ୍ଷ୍ମୀ ନାରାୟଣ ଶତପଥୀ, କୋରା ମହାରଣା, ବିଜୟ ବିଶ୍ୱାଳ, ସୁଶାନ୍ତ ନାୟକ, ପ୍ରଶାନ୍ତ ପତି, ରାମ ଚନ୍ଦ୍ର ଗୌଡ଼, ବିଦାୟୀ ସଭାପତି ସନ୍ତୋଷ କୁମାର ଜେନା ଓ ସମ୍ପାଦକ ବିଜୟ କୁମାର ବେହେରା, ଏଲୋଷ୍ଟା ଉପଦେଷ୍ଟା ଜଗବନ୍ଧୁ ଜେନା, ଓଷ୍ଟା କାର୍ଯ୍ୟକାରୀ କମିଟି ସଦସ୍ୟ ମଧୁସୂଦନ ଦେ ପ୍ରମୁଖ ଉଦବୋଧନ ଦେଇ ସଂଗଠନକୁ ଅଧିଜ କ୍ରିୟାଶୀଳ କରିବା ପାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକାରୀ ସଭାପତି କେଦାରନାଥ ପଟ୍ଟନାୟକ ସ୍ୱାଗତ କରିଥିବା ବେଳେ ଯୁଗ୍ମ ସମ୍ପାଦକ ସୁଦୀପ୍ତ କୁମାର ପଟ୍ଟନାୟକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସମ୍ପାଦକ ରାମଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.