ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରୁ ଗତ କିଛିବର୍ଷ ଧରି ପ୍ରକାଶିତ ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପତ୍ରିକାର ସମ୍ପାଦକ ମନୋଜ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅବସରରେ ରାଉରକେଲା ସହରର ୨୦ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ସହିତ ଓଡ଼ିଆ କବିତା ଓ ଗଳ୍ପ ଲିଖନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ । ଗଳ୍ପ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷୟିତ୍ରୀ ତଥା ଲେଖିକା ବିଜୟିନୀ ଜେନା, କବିତା ପ୍ରତିଯୋଗିତାକୁ ବରିଷ୍ଠ ଲେଖିକା ସବିତା ବସ୍ତିଆ ଏବଂ ଚିତ୍ରାଙ୍କନକୁ ଶିକ୍ଷୟିତ୍ରୀ ତଥା କବି ଗୀତାରାଣୀ ବେହେରା ପରିଚାଳନା କରିଥିଲେ । ଏହି ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ରଶ୍ମିପ୍ରଭା ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।