jayashree

ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର

ଗୋଆ : ବଲିଉଡ୍‌ରେ ଶୋକର ଛାୟା । ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର । ୭୫ ବର୍ଷ ବୟସରେ ଗୁରୁବାର ତାଙ୍କର ପରଲୋକ ଘଟିଛି । ଗୋଆର ଡୋନା ପାଉଲାସ୍ଥିତ ବାସଭବନରୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍‌ ଧରି ତାଙ୍କୁ ସିପିଆର୍‌ ଦେଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ସମସ୍ତ ପ୍ରୟାସ ସତ୍ତ୍ୱେ ନାନା ପାଟେକରଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ହସ୍ପିଟାଲ ପକ୍ଷରୁ ତାଙ୍କ ମୃତ୍ୟୁର କାରଣ ଗୁରୁତର କାର୍ଡିଆକ୍ ଆରେଷ୍ଟ ବୋଲି ଜଣାପଡ଼ିଛି । ପ୍ରାୟ ଚାରି ଦଶନ୍ଧି ଧରି ହିନ୍ଦୀ ଓ ମରାଠୀ ସିନେମାରେ ନିଜ ଦମଦାର ଅଭିନୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନାନା ପାଟେକର । ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ଖାମୋଶୀ’, ‘ନଟସମ୍ରାଟ’ ଓ ‘ୱେଲକମ୍’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିଲା । ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ । ନାନା ପାଟେକରଙ୍କ ଅକାଳ ବିୟୋଗ ଖବର ପ୍ରଚାର ହେବା ପରେ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି । ବହୁ କଳାକାର, ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କ ଦମଦାର ଅଭିନୟ ଓ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ସବୁଦିନ ପାଇଁ ଦର୍ଶକଙ୍କ ମନରେ ଜୀବନ୍ତ ରହିବ ।

Leave A Reply

Your email address will not be published.