pakka

ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼ ସାହାଜବାହାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସୋମବାର ଗ୍ରାମର ଛବିଲାଲ ସାହୁ, ଦିଲୀପ ସାହୁ, ଗୁଲଠୁ ସାହୁ, ଗୋବର୍ଦ୍ଧନ ସାହୁ ପ୍ରମୁଖ ସାଙ୍ଗରେ କିରୋସିନ, ଦିଆସିଲି ଧରି ଜିଲ୍ଲାପାଳ ଅଫିସ ପହଞ୍ଚିଥିଲେ । ପୋଲିସ ଉପସ୍ଥିତିରେ ସେମାନେ ଶରୀରରେ କିରୋସିନ ଢାଳିବା ସହିତ ଦିଆସିଲି ମାରି ଆତ୍ମହୁତି ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ପୋଲିସ ଦିଆସିଲି, କିରୋସିନ ଡବା ଛଡାଇ ନେଇଥିଲା । ଏହାପରେ ସେମାନେ ଧାରଣାରେ ବସିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ତାଙ୍କ ଠାରୁ ଦାବୀପତ୍ର ଗ୍ରହଣ କରି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି ହୋଇଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ । ବଡ ସାହାଜବାହାଲ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଗୋଟିଏ ଘରର ଫଟୋରେ ଦୁଇଟି ବିଲ୍ ଉଠା ହୋଇଥିବା ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଗାଇସିଲେଟ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଗତ ମାସର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାନଯିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ବୋଲି ସେମାନେ କହିଥିଲେ ।

Leave A Reply

Your email address will not be published.

3 × three =