jayashree

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହରରେ ଏକ ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଥିଲା । ସୂଚନାନୁଯାୟୀ ଏକ ଜଙ୍ଗଲୀ ଭାଲୁ ସ୍ଥାନୀୟ ବାପୁଜୀ ବିଦ୍ୟାଳୟ ନିକଟସ୍ଥ ଅବସରପ୍ରାପ୍ତ ଜିଲ୍ଲା ଜଜ ଉଦୟଭାନୁ ଜେନାଙ୍କ ଘର ପରିସରକୁ ସନ୍ଧ୍ୟା ସମୟରେ ପଶିଯାଇଥିଲା । ଏହା ଜାଣିବାପରେ ସହରବାସୀ ଆତଙ୍କିତ ହୋଇପଡ଼ିଥିଲେ । ବନ ବିଭାଗ ଖବର ପାଇ ଭାଲୁର ଗତିବିଧି ଉପରେ ନଜର ରଖିଥିଲେ । ସେଭଳି ରେପିଡ଼ ରେସ୍ପନସ ଟିମ ଭାଲୁକୁ କାବୁ କରିବାପାଇଁ ଚେଷ୍ଟା କରିଥିଲେ । କିଛି ସମୟ ପରେ ଭାଲୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ପଟେ ଚାଲିଯାଇଥିଲା । ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଲୋକଙ୍କୁ ଭାଲୁ ସହରରେ ବୁଲୁଥିବାରୁ ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଥିଲା । କୌଣସି ଜନ ଜୀବନ କ୍ଷତି ନହୋଇ ଜଙ୍ଗଲୀ ଭାଲୁକୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ରେପିଡ଼ ରେସ୍ପନସ ଟିମ ଉଦ୍ୟମ କରିଥିଲା । ଏଯାଏ ସହରବାସୀ ଜଙ୍ଗଲୀ ଭାଲୁ ଯୋଗୁ ଭୟଭୀତ ଅଛନ୍ତି । ଉକ୍ତ ଭାଲୁ କୁଆଡେ ଗଲା ବନ ବିଭାଗ ସ୍ପଷ୍ଟ କରି ନାହିଁ । ଫଳରେ ଅଜଣା ଆତଙ୍କରେ ଆତଙ୍କିତ ଅଛନ୍ତି ଭବାନୀପାଟଣା ସହରବାସୀ ।

Leave A Reply

Your email address will not be published.