
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିଲା ବେଳେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଟିଟିଲାଗଡ ସହରର ବାହାର ପଟୁ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ତେବେ ପରିତାପର ବିଷୟ ଏହିକି ଯେ, ଦୀର୍ଘ ଦେଢ ବର୍ଷ ଉପରେ ସମୟ ବିତି ଯାଇଥିଲେ ହେଁ ଆଜି ଯାଏଁ କାର୍ଯ୍ୟର ଗତି ଅତି ମନ୍ଥର ଅବସ୍ଥାରେ ରହିଛି । ଏହା ସହ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଲୋକଙ୍କ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୁବ୍ୟବସ୍ଥା କରିବା ପାଇଁ କେତେ କଣ କରୁଛନ୍ତି? କିନ୍ତୁ କାର୍ଯ୍ୟ ଭଲ ଭାବରେ ନ ହେବା ଯୋଗୁଁ ଅଶାନ୍ତି ବୃଦ୍ଧି ପାଇବା ସହ ସରକାରଙ୍କ ଟଙ୍କା ସଠିକ ବିନିଯୋଗ ହେବା ସହ ଭଲ କାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି । ସେହିପରି ସେଠାରେ କାର୍ଯ୍ୟରତ ଜଣେ ଜଗୁଆଳି ତିନି ମାସ ହେଲା ଦରମା ପାଇ ନ ଥିବା ତଥା ଚାରି ପାଞ୍ଚ ଦିନରେ ଥରେ ଅଧିକାରୀମାନେ ଆସି କାମ ତଦାରଖ କରନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ନେଇ ଟିଟିଲାଗଡ ସ୍ଥିତ ଏନ୍ ଏଚ ଡିଭିଜନର ଜେଇଙ୍କୁ ପଚାରିବାରୁ ସବୁ କାମ ଠିକ୍ ସେ ଚାଲିଛି ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଗ୍ରାମବାସୀ ତାହେଲେ କଣ ମିଛ କହୁଛନ୍ତି ? କିଭଳି କାର୍ଯ୍ୟ ତଦାରଖ କରୁଛନ୍ତି ଏ ନେଇ ବିଶେଷ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।