jayashree

୪୨ ବର୍ଷ ପରେ କେସିଙ୍ଗା କୋଣାର୍କ ସୂତାକଳ ଖୋଲିବା ଆଶା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାର ଐତିହାସିକ କୋଣାର୍କ ସୂତାକଳକୁ ନେଇ ପୁଣି ଦେଖାଦେଇଛି ନୂଆ ଆଶା । ଦୀର୍ଘ ୪୨ ବର୍ଷ ଧରି ବନ୍ଦ ପଡ଼ିଥିବା ଏହି ସୂତାକଳର ପୁନରୁଦ୍ଧାର ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ଏବଂ ବିଭିନ୍ନ ସଂଗଠନର ପ୍ରୟାସ ପରେ ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କେସିଙ୍ଗା ଗସ୍ତ କରି ସୂତାକଳ ପରିସରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀଙ୍କ ସହ ବୟନଶିଳ୍ପ ବିଭାଗ କମିଶନର ତାପସ ପୁନମ୍ ଗୁହାଙ୍କ ସମେତ ବରିଷ୍ଠ ଅଧିକାରୀ, ଜିଲ୍ଲା ପ୍ରଶାସନର ପ୍ରତିନିଧି ଓ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ସୂତାକଳ ପରିସର ବୁଲି ମନ୍ତ୍ରୀ ଗୋଦାମ ଘର, ପୁରୁଣା ଯନ୍ତ୍ରାଂଶ ସହ ସମଗ୍ର ଭିତ୍ତିଭୂମିର ଯାଞ୍ଚ କରିଥିଲେ । ଅନୁଧ୍ୟାନ ପରେ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୂତାକଳର ଭିତ୍ତିଭୂମି ଭଲ ଅବସ୍ଥାରେ ରହିଛି । ତେଣୁ ଏହାକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ରହିଛି । ତେବେ ସରକାରୀ ପ୍ରକ୍ରିୟା ଚାଲୁଥିବାରୁ ଏହା କେବେ ପୂର୍ଣ୍ଣ ରୂପ ନେବ, ସେନେଇ ନିର୍ଦ୍ଦିଷ୍ଟ ସମୟସୀମା କହିବା ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ, କିଛି ମାସ ପୂର୍ବରୁ ସଂଗଠନ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ କେସିଙ୍ଗା ଆସି ସୂତାକଳର ସ୍ଥିତି ପରଖିଥିଲେ । ଏହାର ପୁନରୁଦ୍ଧାର ପାଇଁ ସରକାରଙ୍କ ନିକଟରେ ଦାବି ରଖିବା ସହ ବିଭିନ୍ନ ସ୍ତରରେ ଯୋଗାଯୋଗ ଜାରି ରଖିଥିଲେ । ତାଙ୍କ ପ୍ରୟାସ ପରେ ବିଭାଗୀୟ ମନ୍ତ୍ରୀଙ୍କ ଗସ୍ତ ହୋଇଥିବା କୁହାଯାଉଛି । ଏପଟେ, ଏକ ଘରୋଇ ଶିଳ୍ପ ସଂସ୍ଥା କୋଣାର୍କ ସୂତାକଳର ପରିଚାଳନା ଦାୟିତ୍ୱ ନେଇ ପ୍ରାୟ ୧୨ଶହ କୋଟି ଟଙ୍କା ବ୍ୟୟରେ ମିଲ୍‌ର ଆଧୁନିକୀକରଣ ଓ ପୁନଃକାର୍ଯ୍ୟକ୍ଷମ କରିବାକୁ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି । ଯଦି ଏହି ପ୍ରସ୍ତାବ ବାସ୍ତବ ରୂପ ନିଏ ଏବଂ ୪୨ ବର୍ଷ ପରେ କୋଣାର୍କ ସୂତାକଳରେ ପୁଣି ଉତ୍ପାଦନ ଆରମ୍ଭ ହୁଏ, ତେବେ କେସିଙ୍ଗା ସମେତ ସମଗ୍ର କଳାହାଣ୍ଡି ଅଞ୍ଚଳର ଶିଳ୍ପ ଓ ଅର୍ଥନୀତିକୁ ବଡ଼ ଗତି ମିଳିପାରେ । ହଜାର ହଜାର ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ । ମନ୍ତ୍ରୀଙ୍କ ଗସ୍ତ ଏବଂ ବୃହତ୍ ନିବେଶ ପ୍ରସ୍ତାବ ପରେ କେସିଙ୍ଗାବାସୀଙ୍କ ମନରେ ଏବେ ପୁଣି ଜାଗିଛି ଆଶା—୪୨ ବର୍ଷର ଅପେକ୍ଷା ପରେ କୋଣାର୍କ ସୂତାକଳର ଚକ ଆଉଥରେ ଘୁରିବ କି ? ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ଼, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସମେତ ବହୁ ଦଳୀୟ ନେତା, କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.