jayashree

କୁଟାସିଂହା ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ

ଅଧୁରା ରହିଯିବ କି କୁଟାସିଂହା – କପାଶିରା ଅଙ୍ଗ ନଦୀ ସେତୁ ?
ଆପ୍ରୋଚ ରୋଡ ଟେଣ୍ଡର ପ୍ରକ୍ରିୟା କେବେ ହେବ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳରୁ ଉଭୟ ବଲାଙ୍ଗିର-ସୁବର୍ଣ୍ଣପୁର ଜିଲ୍ଲାକୁ ଗମନାଗମନରେ ଯୋଡିବାକୁ କୁଟାସିଂହା-କପାଶିରା ମଧ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ ରେ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରି ସଂସ୍ଥା ଆଶୀର୍ବାଦ କନଷ୍ଟ୍ରକ୍‌ସନ୍‌ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାର୍ଯ୍ୟ ଶେଷ କରିବାକୁ ସୂଚନା ଫଳକରେ ଉଲ୍ଲେଖ ରହିଥିଲା । ହେଲେ ୬ ମାସ ପୂର୍ବରୁ ଗତ ୨୦୨୩ ଅଗଷ୍ଟ ମାସରୁ ସମ୍ପୃକ୍ତ ଠିକାଦାର ନିର୍ମାଣ କାମ ଅସମ୍ପୂର୍ଣ କରି କୌଣସି କାରଣରୁ ଛୁ ମାରିଛି । ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯିବାରୁ ତାଙ୍କ ଫୋନ ଲାଗୁନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଘ୍ନ ଉଭୟ ପାର୍ଶ୍ୱ ରାସ୍ତାକାମ ବାକି ରହିଛି । ଏନେଇ ବିଭିନ୍ନ ଖବର କାଗଜରେ ଖବର ମଧ୍ୟ ପ୍ରକାଶିତ ହୋଇଛି । ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗିର ସୋନପୁର ଜିଲ୍ଲାର ଜନସାଧାରଣ ଉପକୃତ ହେବେ । ବିଶେଷ କରି ସାଲେଭଟା, ପଟୁଆପାଲି, ଯୋଗୀସର୍ଡା, ବାଦିବା ହାଲ, ମୂର୍ସୁନ୍ଧି, କପଶିରା, ଜୁଲୁଣ୍ଡା, ଲଛିପୁର୍, ଦିଗ୍‌ସିରା ଗ୍ରାମପଞ୍ଚାୟତ ଏବଂ ଆଗଲପୁର ବ୍ଲକ୍, ଲୋଇସିଂହା ବ୍ଲକ, ସୋନପୁର ବ୍ଲକ୍, ବିନିକା ବ୍ଲକ୍, ଡୁଙ୍ଗୁରିପାଲି ବ୍ଲକ୍ ବଲାଙ୍ଗିର ଓ ସୋନପୁର ବ୍ଲକକୁ ସିଧାସଳଖ ଭାବେ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବ । ଏ ଅଞ୍ଚଳର ଜଣସାଧାରଣ, ବୁଦ୍ଧିଜୀବୀ କହିବା ଅନୁସାରେ ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧି, ଲୋଇସିଂହା ବିଧାୟକ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଏଇ କିଛିଦିନ ପରେ କାମ ଆରମ୍ଭ ହୋଇଯିବ ବୋଲି କହି ଭୁଆଁ ବୁଲାଉଛନ୍ତି । ଫଳରେ ଲୋକଙ୍କ ମଧ୍ୟ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବର୍ତ୍ତମାନ ସୁଦ୍ଧା ୱାର୍କ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡିପିଆର ମଧ୍ୟ ହୋଇନାହିଁ । ଅଧୁରା ରହିଯିବ କି ଅଙ୍ଗନଦୀ ସେତୁ ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ, ଜିଲ୍ଲପାଳ, ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.