ls

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା : ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ ଥଇଥାନ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ । ଆଜି ନିଜ ଭାଇର ବାହାଘର ପାଇଁ ପଦ୍ମପୁରକୁ ଯାଇଥିବା ଦୀପା ଟେମରିକୁ ଫେରୁଥିବା ସମୟରେ ଭୁଲିଆବନ୍ଧ ଛକ ପାଖାପାଖି ଦେଖିବାକୁ ପାଇଲେ ଯେ ଜଣେ ପାଖାପାଖି ୭୦ ବୟସ୍କ ବୃଦ୍ଧା ଏହି ପ୍ରଚଣ୍ଡ ଖରାରେ ରାସ୍ତାରେ ଯାଉଥିଲେ । ଏକାକୀ ବୃଦ୍ଧା ଜଣକ କାହିଁକି ଏଭଳି ଖରାରେ ଯାଉଛନ୍ତି ବୋଲି ଗାଡ଼ି ଅଟକାଇ ପଚାରି ଜାଣିବାକୁ ପାଇଲେ ଯେ ସେହି ବୃଦ୍ଧା ଜଣକର ମାନସିକ ସ୍ଥିତି ଠିକ ନାହିଁ । ଏଭଳି ଟାଣ ଖରାରେ ଯାଉଥିଲେ ମଧ୍ୟ କେହି ତାଙ୍କୁ ଆହା କରି ବସ କିମ୍ବା କୌଣସି ଚାରିଚକିଆ ଗାଡ଼ି ବସାଉନଥିବା କୋହଭରା କଣ୍ଠରେ କହିଥିଲେ । ତାପରେ ଦୀପା ତାଙ୍କୁ ରଖିଥିବା ପାଣି ପ୍ରଦାନ କରିଥିଲେ ଏବଂ ତାଙ୍କ ଠିକଣା ପଚାରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବୃଦ୍ଧାଜଣକର ମାନସିକ ସ୍ଥିତି ଠିକ ନ ଥିବାରୁ ସେ ସଠିକ ଭାବରେ କହିପାରୁନଥିଲେ । ପ୍ରଥମେ ତାଙ୍କୁ ଦୀପା ଯାଇଥିବା ବାଇକରେ ବସେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାହା ସମ୍ଭବ ନ ହେବାରୁ ଅଗ୍ନିଶମ ବିଭାଗର ସହାୟତା ଲୋଡ଼ିଥିଲେ । କିଛିସମୟ ମଧ୍ୟରେ ପାଇକମାଲ ଅଗ୍ନିଶମ ବିଭାଗର ଗାଡ଼ି ଆସିବା ପରେ ସେହି ମହିଳା ଜଣକୁ ପାଇକମାଲ ସ୍ଥିତ ଡାକ୍ତରଖାନାକୁ ନିଆଗଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶ୍ରୀଧର ପଧାନ, ପାଇକମାଲ ଥାନାଧିକାରୀ ବିଶ୍ୱଜିତ ମନବୋଧ ଏବଂ ଶିକ୍ଷକ ଦିବସ କୁମାର ସାହୁଙ୍କ ସହାୟତାରେ ପାଇକମାଲ ସ୍ଥିତ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ସେହି ବୃଦ୍ଧା ଜଣକ ପଦ୍ମପୁର ରଜାପଡ଼ାର ଏବଂ ତାଙ୍କ ନାମ କମଳା କୁମ୍ଭାର ବୋଲି ଜଣାପଡିଛି । ଦୀପାଙ୍କ ଉପସ୍ଥିତ ବୁଦ୍ଧି ତଥା ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ତଥା ପୋଲିସ ବିଭାଗ ସମନ୍ୱୟରେ ଜଣେ ଅସହାୟ ବୃଦ୍ଧାଙ୍କ ଥଇଥାନ ହୋଇପାରିଥିବାରୁ ଲୋକେ ତାଙ୍କର ଏହି ମହତ କାର୍ୟ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.