pakka

ଜଙ୍ଗଲରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଗାଁରେ ରହିବାର ବ୍ୟବସ୍ଥା କଲେ ସ୍ୱେଛାସେବୀ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜ ଘରଠାରୁ, ନିଜ ଗାଁଠାରୁ ନିଜ ଜାତି ସମାଜଠାରୁ ଦୂରେଇ ରହି ନିଜ ହିସାବରେ ଦୁର୍ବିସହ କଠୋର ଜୀବନ ଅତିବାହିତ କରୁଥିଲେ । କାହାରି ସାହାରା ନେବାକୁ ଇଛା କରୁନଥିଲେ । ଯେଉଁଠାରେ ରହୁଥିଲେ ସେ ଜାଗାକୁ ରାସ୍ତା ନାହିଁ, ପିଇବା ପାଣି ସୁବିଧା ନାହିଁ ଜନସାଧାରଣଙ୍କ ଯିବା ଆସିବା ମଧ୍ୟ ହୁଏ ନାହିଁ । ଏ ଯୁଗରେ ମଧ୍ୟ କଠୋର ଜୀବନ କାଟୁଥିଲେ । ପରିବାର ସଦସ୍ୟମାନେ ନିଜ ଗାଁ ଘରକୁ ଯିବାକୁ ଅନେକ ଥର କହିଥିଲେ ମଧ୍ୟ କାହାରି କଥା ଶୁଣୁନଥିଲେ । ଦୀର୍ଘ ବର୍ଷ ହେବ ସ୍ୱାମୀ ମୃତ୍ୟୁ ବରଣ କରିଛନ୍ତି ଏବଂ ଦୀର୍ଘ କୋଡିଏ ବର୍ଷ ହେବ ନିଜ ପୁଅ କେଉଁ ଆଡେ ଉଭାନ ହୋଇଗଲେ ଆଜି ପର୍ୟ୍ୟନ୍ତ ତାଙ୍କରି ଖୋଜ ଖବର ନାହିଁ । ନିଜ ବହୁ ଏକୁଟିଆ ରହୁଛନ୍ତି । ନାତି ମାନେ ଅଲଗା ରହୁଛନ୍ତି । ସରକାରୀ ଯୋଜନା କହିଲେ କେବଳ ଭତ୍ତା ଆକାରେ ୭୦୦ଟଙ୍କା, ରାସନ ଚାଉଳ ଓ ଆବାସ ଯୋଜନାରେ ବଞ୍ଚିତ । ଏହି ଦୟନୀୟ ଖବର ପାଇ ସେବା ଚେରିଟେବୁଲ ଟ୍ରଷ୍ଟ ବୃଦ୍ଧା ମହିଳାଙ୍କ ପାଖକୁ ଯାଇ ଭଲ ମନ୍ଦ ବୁଝି ପାଟଣାଗଡ଼ ବିଡ଼ିଓଙ୍କଠାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଯୋଗକୁ ଭିତ୍ତି କରି ବିଡ଼ିଓ ବିଏସ୍‌ଏସ୍‌ଙ୍କୁ ଉଦ୍ଧାର କରି ବଲାଙ୍ଗିର ସାଲେପାଲି ଦେଓଗାଁ ସ୍ଥିତ ବୃଦ୍ଧା ଆଶ୍ରମରେ ଥଇଥାନ କରିବା ପାଇଁ ପଠେଇ ଥିଲେ, ଉଦ୍ଧାର ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ଓ ବୃଦ୍ଧା ମହିଳା ଓ ତାଙ୍କର ପୁଅବହୁଙ୍କୁ ବୁଝାଇ ଥିଲେ କିନ୍ତୁ ବୃଦ୍ଧା ମହିଳା ଜଣକ ଆଶ୍ରମକୁ ଯିବା ପାଇଁ ମନା କରିଦେଇଥିଲେ । ପରେ ଗାଁରେ ଥିବା ନିଜ ପୁଅବୋହୂଙ୍କୁ ବୁଝାଇ ନିଜ ପାଖରେ ରଖିବାକୁ ଅନୁରୋଧ କରିଥିଲେ । ବୋହୁ ସେବା ଚେରିଟେବୁଲ ଟ୍ରଷ୍ଟର ଅନୁରୋଧ ରଖି ନିଜ ପାଖରେ ରଖିବାକୁ ସ୍ୱୀକାର କରିଥିଲେ । ପରେ ସେଠାରୁ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଜଙ୍ଗଲ ଘେରା ପରିତ୍ୟକ୍ତ ଅଞ୍ଚଳରୁ ରାସ୍ତା ପର୍ୟ୍ୟନ୍ତ ବାହାର କରି ଗାଡ଼ିରେ ବସେଇ ଗାଁରେ ଥିବା ବୋହୁ ଘରେ ଛାଡ଼ି ଦେଇ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବାକୁ କହିଥିଲେ । ବୃଦ୍ଧା ମହିଳାଙ୍କୁ ନିଜ ପରିବାର ତଥା ଗାଁର ଭଦ୍ରବ୍ୟକ୍ତି ବାରମ୍ବାର ମନେଇ ଥିଲେ ସୁଦ୍ଧା ମାନି ନଥିଲେ କିନ୍ତୁ ସେବା ଚେରିଟେବୁଲ ଟ୍ରଷ୍ଟ ମନେଇବାରୁ କଥାମାନି ଗାଁରେ ରହିବାର ବ୍ୟବସ୍ଥା କରିଥିବାରୁ ଗାଁ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏମିତି ଘଟଣା ଘଟିଛି ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରା.ପ. ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁର । ଆଜିର ଏହି ଉଦ୍ଧାର କାର୍ୟ୍ୟ ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟର ଉପସଭାପତି ଗିରିରାଜ ଭୋଇ, ସଦସ୍ୟା ଏଡ଼ଭୋକେଟ ସେବୀକା ରାଜହଂସ, ଗୀତାଞ୍ଜଳି ବୁଡେକ, ବାସନ୍ତୀ ବିଶ୍ୱାଳ, ମେଘ ବର୍ଗେ ଓ ପାଟଣାଗଡ଼ ବିଏସ୍‌ଏସ୍‌ ଓ କମଳ କାନ୍ତ ବାରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × three =