pr

ଛତ୍ରପୁରରେ ଗଣେଶ ପୂଜା, ଶତାଧିକ ମଣ୍ଡପରେ ବିଘ୍ନବିନାଶକଙ୍କ ଆରାଧନା

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଗଣେଶ ପୂଜାକୁ ନେଇ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଚଳିତବର୍ଷ ଛତ୍ରପୁର ମୁନିସିପାଲିଟି ଅଧୀନରେ ଶତାଧିକ ପୂଜାମଣ୍ଡପରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଧୁମଧାମରେ ଅନୁଷ୍ଠିତ ହେଉଛି । ସହର ସହିତ ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ବିଧିବିଧାନ ଅନୁସାରେ ପୂଜା ସମ୍ପନ୍ନ ହୋଇଛି । ରିକାପଲ୍ଲୀ, ଦେବୀନଗର, ବାରାକ ସାହି, ଗିଲ୍ଟିପେଟ୍ଟା, ସୀତାରାମପଲ୍ଲୀ, ନାଗୁଲୁପେଟ୍ଟା, ବଡ଼ରେଡ୍ଡୀ ସାହି, ମୁଚିୱାରୀ ସାହି, ଅପର ବସଷ୍ଟାଣ୍ଡ, ଷ୍ଟେସନ ରୋଡ୍ ଓ ପୁରୁଣା ଛତ୍ରପୁର ସମେତ ବିଭିନ୍ନ ଅଞ୍ଚଳରେ ଆକର୍ଷଣୀୟ ମେଢ଼ ଓ ପୂଜାମଣ୍ଡପ ପ୍ରସ୍ତୁତ କରାଯାଇଛି । କେଉଁଠି ଆଧୁନିକ ଥିମ୍‌ରେ ମଣ୍ଡପ ସଜାଯାଇଛି, ତ ଆଉ କେଉଁଠି ସବୁଜିମା ଭରା ଜଙ୍ଗଲ, ବଗିଚା ଓ ବନାନୀର ଆକର୍ଷଣୀୟ ସାଜସଜ୍ଜା ମଧ୍ୟରେ ପ୍ରଭୁ ଗଣେଶଙ୍କୁ ବିରାଜମାନ କରାଯାଇଛି । ସୁସଜ୍ଜିତ ମେଢ଼ ଦେଖିବା ସହ ପ୍ରଭୁଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି । ଗଣେଶ ପୂଜା ଅବସରରେ ସହରର ପରିବେଶ ଭକ୍ତିମୟ ହୋଇଉଠିଥିବା ବେଳେ ପୂଜାମଣ୍ଡପଗୁଡ଼ିକରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଅନୁକୂଳ ପାଗ ଯୋଗୁଁ ମଧ୍ୟ ଦର୍ଶନାର୍ଥୀଙ୍କ ଉତ୍ସାହ ବଢ଼ିଛି । ଅନ୍ୟପଟେ ସରକାରୀ ଗାଇଡଲାଇନ୍ ଓ ପୋଲିସ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ପୂଜା ଓ ମେଢ଼ ପରିଚାଳନା କରାଯାଉଛି । ଶ୍ରଦ୍ଧା, ଭକ୍ତି ଓ ଉତ୍ସବର ମାହୋଲ ମଧ୍ୟରେ ଛତ୍ରପୁରରେ ଗଣେଶ ପୂଜା ପାଲଟିଛି ଏକ ବଡ଼ ଆକର୍ଷଣର କେନ୍ଦ୍ର ।

nrusinghnath
Leave A Reply

Your email address will not be published.