
ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ମହାପ୍ରଭୁ ମାର୍ଜରକେଶରୀଙ୍କର ନିକଟରେ ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ମହାପ୍ରଭୁଙ୍କୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ମନ୍ଦିର ସେବାୟତ ଓ ପୂଜକ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ପାର୍ଶ୍ଵ ଦେବଦେବୀଙ୍କୁ ନିମନ୍ତ୍ରଣ ପରେ ବିଶେଷ ନୀତି କରାଯିବା ପରେ ମହାପ୍ରଭୁ ଓ ପାର୍ଶ୍ଵଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରାଯାଇଥିଲା । ଏହାପରେ ମନ୍ଦିର ପରିସରକୁ ଏକ ଗୋମାତାକୁ ଅଣାଯାଇ ପୂଜା ଅର୍ଚ୍ଚନା କରାଯାଇ ଗୋମାତାକୁ ଭୋଜନ କରିବାକୁ ଦିଆଯାଏ । ଚଳିତ ବର୍ଷ ମଧ୍ୟାହ୍ନ ୧ଟାରେ ନବାନ୍ନ ପ୍ରସାଦ ପାଇବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଭୋଗମଣ୍ତପରେ ଶହଶ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ । ପରେ ବରଗଡ, ବଲାଙ୍ଗିର, ନୂଆପଡା ଓ ଛତିଶଗଡ଼ ରାଜ୍ୟରୁ ବହୁସଂଖ୍ୟାରେ ଭକ୍ତ ନବାନ୍ନ ଅବସରରେ ମହାପ୍ରଭୁଙ୍କର ଦର୍ଶନ ଲାଭ କରିଥିଲେ । ଚଳିତ ବର୍ଷ ପ୍ରବଳ ଭିଡକୁ ଦେଖି ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଏବିଡିଓ ପାଇକମାଲ ଦେବାଶିଷ ସିହ୍ନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି । ମନ୍ଦିର ସେବାୟତ ସୁବୋଧ ପଣ୍ତା, ଜେକି ସରାଫ, ସତ୍ୟ ପୁରୋହିତ, ସତ୍ୟ ପୁରୋହିତ, ପୂଜକ ସିଦ୍ଧାର୍ଥ ପୁରୋହିତ, ସୁଜ୍ଞାନ୍ତ ତ୍ରିପାଠୀ, ଆଜାଦ ମାଝି, ମନମିତ ପୁରୋହିତ, ଶୁଭମ ପୁଝାରୀ ଓ ମନ୍ଦିର ସେବାୟତମାନେ ପୂଜା କାର୍ଯ୍ୟ ଓ ପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ ।

