
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା ଓ ସେମାନଙ୍କୁ ଏକ ବଡ଼ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ‘ବ୍ରହ୍ମପୁର ଗଟ୍ ଟାଲେଣ୍ଟ’ କାର୍ଯ୍ୟକ୍ରମ । ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟ ଭଳି ବିଭିନ୍ନ ବିଭାଗରେ ପ୍ରତିଯୋଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ । ମଞ୍ଚରେ କେହି ନୃତ୍ୟରେ ଦକ୍ଷତା ଦେଖାଇଥିଲେ, ତ ଆଉ କେହି ସଙ୍ଗୀତ, ବାଦ୍ୟଯନ୍ତ୍ର ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ । ଚିତ୍ରକଳାରେ ମଧ୍ୟ ପ୍ରତିଯୋଗୀମାନେ ନିଜର ସୃଜନଶୀଳତା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ବିଚାରକ ଭାବେ ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ସୁଶ୍ରୀ ଅସ୍ମିତା ବେଉରା, ସ୍ୱସ୍ତି ସୁନ୍ଦର ସିଅ ଏବଂ ପ୍ରିନ୍ସ ଡାନ୍ସ ଗ୍ରୁପର ନୃତ୍ୟଗୁରୁ କ୍ରିଷ୍ଣା ରେଡ୍ଡୀ ଯୋଗଦେଇଥିଲେ । ଏଥିସହ କାହ୍ନା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ସୁଚିସ୍ମିତା ଶର୍ମା, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ଼ଃ. ବନମାଳୀ ପାଣିଗ୍ରାହୀ ଓ ଫୋରମ୍ର ମୁଖ୍ୟ ସୂରଜ କୁମାର ଦାଶ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଯୁବପିଢ଼ି ମଧ୍ୟରେ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇବା ସହ ନୂଆ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ । ବ୍ରାଣ୍ଡ ଜୋନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ସାଗର ଦାଶ ପରିଚାଳନା କରିଥିଲେ । ଉପସ୍ଥାପିକା ସ୍ମୃତି ସ୍ୱରୂପା ନାୟକଙ୍କ ସମେତ ଟିମ୍ର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନର ସହଯୋଗରେ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

