om academy

ବଲାଙ୍ଗିରକୁ କ୍ରାଇମ କ୍ୟାପିଟାଲ୍‌ କହି ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ବୋଲି ସ୍ୱୀକାର କରୁଛନ୍ତି ବିଜେଡି ନେତା : ସମରେନ୍ଦ୍ର

  • ଅପରାଧୀଙ୍କୁ ପ୍ରଶ୍ରୟ ଦେଉଥିବା ରାଜ ପରିବାର ଅପରାଧ ମୁକ୍ତ ମିଛ ନାରା ଦେଉଛନ୍ତି, କହିଲେ ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରକୁ କ୍ରାଇମ୍‌ କ୍ୟାପିଟାଲ୍‌ କହି ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ବୋଲି ସ୍ୱୀକାର କରୁଛନ୍ତି ବିଜେଡ଼ି ନେତା ବୋଲି ଆଜି ବକ୍ତବ୍ୟରେ କହିଛନ୍ତି ସମରେନ୍ଦ୍ର । ଗତ ୧୦ ବର୍ଷ ହେଲା ବଲାଙ୍ଗିର ସହର ତଥା ଆଖପାଖ ଅଂଚଳର ସାଧାରଣ ଜନତା ହୁଅନ୍ତୁ କି ବ୍ୟବସାୟୀ ସମସ୍ତେ କିପରି ଶାନ୍ତିପୂର୍ଣ୍ଣ ଜୀବନଯାପନ ତଥା ବ୍ୟବସାୟ କରି ପାରିବେ, ସେ ଉପରେ ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ପୋଲିସ ପ୍ରଶାସନ ତଥା ରାଜ୍ୟ ଗୃହ ବିଭାଗ ଉପରେ ଚାପ ପକାଇ ଯେତେ ସମ୍ଭବ ବଲାଙ୍ଗିର ଅଂଚଳକୁ ଏକ ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଂଚଳ ଭାବେ ଗଢି ତୋଳିଛନ୍ତି । କିନ୍ତୁ ପରିତାପର ବିଷୟ ବଲାଙ୍ଗିରର ସ୍ଥାନୀୟ ବିଜେଡି ନେତା ତଥାକଥିତ ରାଜ ପରିବାରର ସଦସ୍ୟ ତଥା ଆମ ପ୍ରତିଦ୍ୱନ୍ଦୀ ବଲାଙ୍ଗିରକୁ କ୍ରାଇମ୍‌ କ୍ୟାପିଟାଲ୍‌ ବୋଲି ଆଖ୍ୟା ଦେଇ କେବଳ ବଲାଙ୍ଗିରକୁ ବଦନାମ୍‌ କରୁନାହାନ୍ତି, ତା’ସହିତ ଗୃହ ବିଭାଗ ଦାୟିତ୍ୱରେ ଥିବା ନିଜ ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପାରଗ ବୋଲି ପ୍ରମାଣ କରୁଛନ୍ତି ବୋଲି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭାନପୁର, ସାଉନ୍ତମୁଣ୍ଡା, ପ୍ରତାପପୁର, ସିରିସ ଓ ନୁନିଆଢିପା ଗାଁରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗିର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ନିର୍ବାଚନୀ ସଭାରେ ସମରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ଗତ ନିର୍ବାଚନରୁ ଆଜି ପର୍ଯ୍ୟନ୍ତ ଯେଉଁ ରାଜ ପରିବାର ତଥା ଆମ ପ୍ରତିଦ୍ୱନ୍ଦୀ ବଲାଙ୍ଗିରର କୁଖ୍ୟାତ ଅପରାଧୀମାନଙ୍କୁ ନେଇ ନିଜ ନିର୍ବାଚନ ପରିଚାଳନା କରୁଥିଲେ, ଯେଉଁ ରାଜ ପରିବାର ବିରୁଦ୍ଧରେ ନିଜ ବୋହୂ ବଧୂ ନିର୍ଯ୍ୟାତନା ମାମଲା ରୁଜୁ କରିଛନ୍ତି, ସେମାନେ ଆଜି ଅପରାଧମୁକ୍ତ ବଲାଙ୍ଗିରର ମିଛ ସ୍ୱପ୍ନ ସାଧାରଣ ଜନତାଙ୍କୁ ଦେଖାଉଛନ୍ତି । ଲୋକେ ଠିକ୍‌ ଜାଣି ସାରିଲେଣି ଏହି ନିର୍ବାଚନରେ ନିଶ୍ଚିତ ଭାବରେ ଶିକ୍ଷା, ରୋଜଗାର, ଜଳସେଚନ, ଗମନାଗମନ, ସ୍ୱାସ୍ଥ୍ୟ, ସର୍ବୋପରି ବଲାଙ୍ଗିରର ସର୍ବାଙ୍ଗୀନ ବିକାଶ ସପକ୍ଷରେ ମତଦାନ କରିବେ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କହିଛନ୍ତି । କଂଗ୍ରେସ ସରକାରକୁ ଆସିଲେ କୃଷିଋଣ ଛାଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କାକୁ ବୃଦ୍ଧି, ଗରିବଙ୍କୁ ୨୦୦ ୟୁନିଟ ବିଜୁଳି ମାଗଣା, ବେକାରି ଭତ୍ତା ୩ ହଜାର ଟଙ୍କା, ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ବିଧବା ବିକଳାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା, ବେକାରି ଭତ୍ତା ୩ ହଜାର ଟଙ୍କା ପ୍ରଦାନର ଗ୍ୟାରେଣ୍ଟି କଂଗ୍ରେସ ଦଳ ତରଫରୁ ଦିଆଯାଉଛି ବୋଲି କହି ସାଧାରଣ ଲୋକଙ୍କ ହିତ ପାଇଁ ସମସ୍ତେ ଉଭୟ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସମବେତ ଜନତାଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

fifteen − thirteen =