ମେଧା ସମ୍ବର୍ଦ୍ଧନା ସମାରୋହ ୨୦୨୪ ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଥିବା ମେଧା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ଓଡିଶାର କୋଣ ଅନୁକୋଣରେ ସମ୍ମାନିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହର ସ୍ଥିତ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ପିସିଏମ୍‌ କଲ୍ୟାଣ ମଣ୍ଡପ ଠାରେ ପରିକ୍ରମା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହାପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗଦେଇ ପରିକ୍ରମାର ଏହି ଭବ୍ୟ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ତୁମ୍ଭମାନଙ୍କ ଭିତରେ କିଏ ଲତା ମଞ୍ଜେକର ଅଛନ୍ତି, କିଏ କପିଲଦେବ ଅବା କିଏ ସ୍ୱାମୀ ବିବେକାନନ୍ଦ ଅଛନ୍ତି ତଥା ଇତ୍ୟାଦି ଇତ୍ୟାଦି । ଏଣୁ ଏବେ ଠୁ ନିଜକୁ ସଜାଡି ନିଜର ଚରିତ୍ରକୁ ମଧୁମୟ କର । ସମ୍ମାନିତ ଅତିଥି ଭାବେ ସାନମୌଦା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରା, ପ୍ରଧ୍ୟାପକ ପ୍ରଶାନ୍ତ କୁମାର ବାରିକ, ବାଦାମପାହାଡ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉପରେ ଉପଯୁକ୍ତ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ପ୍ରଧ୍ୟାପକ ପ୍ରଶାନ୍ତ କୁମାର ବାରିକଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହା ପରେ ପରେ ମ୍ୟାଟ୍ରିକ ସିବିଏସ୍‌ଇ, ଆଇସିଏସ୍‌ଇ ଓ ଓଡିଶା ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଗଛ ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିଲେ । ଏହି ବୈଠକରେ ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ତିମିର ରଂଜନ ପଣ୍ଡା, ମାନସ କୁମାର ପରିଡା, ଡକ୍ଟର ଦିଗମ୍ବର ଗିରି, ମନୋରଂଜନ ମହାନ୍ତି ପ୍ରମୁଖଙ୍କ ସହିତ ଅଭିଭାବକ, ଅଭିଭାବିକା ତଥା ବୃଦ୍ଧିଜୀବୀ ଓ ଶିକ୍ଷାବିତ୍ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ପଚାରିବାରୁ ସେ କହିଥିଲେ ଯେ, ମେଧା ଛାତ୍ରଛାତ୍ରୀମାନଙ୍କୁ ଆମେ ପୁରସ୍କାର ସହିତ ଗଛ ଦେଇଛୁ । ସେମାନେ ବୁଝନ୍ତୁ ବୃକ୍ଷ ହିଁ ଜୀବନ । ଗଛ ଦ୍ୱାରା ଆମେମାନେ ଅମ୍ଳଜାନ ପାଇଥାଉ । ତା’ ସଙ୍ଗେ ସଙ୍ଗେ ପରିବେଶ ପରିସ୍କାର ମଧ୍ୟ ରହିଥାଏ । ସେମାନେ ଏହି ଗଛକୁ ଲଗାଇ ପରିବେଶକୁ ସୁସ୍ଥ ସୁନ୍ଦର ରଖିବାରେ ସହାୟ ହୁଅନ୍ତୁ । ବୃକ୍ଷ ହିଁ ବାସ୍ତବରେ ପରିବେଶ ସନ୍ତୁଳନର ମାଧ୍ୟମ । ତେଣୁ ଆମେମାନେ ବୃକ୍ଷ ଲଗାଇ ପରିବେଶ ପରିସ୍କାର ରଖିବା ।

Leave A Reply

Your email address will not be published.