ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ୫ଟି କ୍ଷୀରଧାରାର ଲୋକାର୍ପଣ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲଛିପୁର ଠାରେ ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସାମୁଲର ୧୦ ଜଣିଆ କ୍ଷେତ୍ରପରିଦର୍ଶକ ଟିମ୍ ଏକ ଦିନ ପୂର୍ବରୁ ସୋନପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ତଥା ସଂଘ ଦ୍ୱାରା ଅପ‌ହଞ୍ଚ ଅଞ୍ଚଳ ବସଲାଟ, ଚହଟାଖୋଲ, ବ୍ରାହ୍ମଣୀପାଲି, ରାଣୀସର୍ଡ଼ା ଓ ଖଗସାକଣା ଗ୍ରାମ ପରିଦର୍ଶନ କରି ଉକ୍ତ ଗ୍ରାମର ଦୁଗ୍ଧ ଚାଷୀ ମାନଙ୍କ ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀମାନଙ୍କ ଆୟ ଦ୍ଵିଗୁଣିତ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଲୀନ ଇନିସିଏଟିଭ, ମାଈବାଛୁରୀ ପରିପାଳନ ଯୋଜନା ଓ ତୃଣ ଉନ୍ନୟନ ଯୋଜନା ସମ୍ପର୍କିତ ସଚେତନତା ଶିବିର କରି ଉକ୍ତ ଗ୍ରାମରେ ସଂଘ ତରଫରୁ କ୍ଷୀରଧାରା କେନ୍ଦ୍ର ସ୍ଥାପନା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ । ଏଥି ସହିତ ଡକ୍ୟୁମେଣ୍ଟରି ଫିଲ୍ମ ମାଧ୍ୟମରେ ମଧ୍ୟ ସଚେତନତା ଶିବିର ଆୟୋଜନ କରିଥିଲେ । ସଂଘ ତରଫରୁ ଇଛିପୁର୍ ଗ୍ରାମରେ ଏକ ଗୋ-ବନ୍ଧ୍ୟା ନିରାକରଣ ଶିବିର ମଧ୍ୟ ଆୟୋଜନ କରାଯାଇ ପ୍ରାୟ ୧୨୦ରୁ ଅଧିକ ଗାଈ ଓ ଛଡ଼ାମାନଙ୍କର ମାଗଣାରେ ଚିକିତ୍ସା କରାଯାଇଥିଲା । ଆଜିର ଏହି ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସୋନପୁର ବ୍ଲକର ଏହି କାର୍ଯ୍ୟକ୍ରମ ଦିବସ ଉପଲକ୍ଷେ ପ୍ରଥମ ଦିନରେ ସଂଗୃହିତ ହୋଇଥିବା ପ୍ରାୟ ୨୦୦ ଲିଟର ଦୁଗ୍ଧରୁ ଅଧିକ ନୂତନ ଭାବେ ଗଠିତ ବସଲାଟ, ଚହଟାଖୋଲ, ବ୍ରାହ୍ମଣୀପାଲି, ରାଣୀସର୍ଡ଼ା ଓ ଖଗସାକଣାରେ ପରିଚାଳିତ ୫ ଗୋଟି କ୍ଷୀର ଧାରା କେନ୍ଦ୍ରକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୨୦୦ ଜଣ ଦୁଗ୍ଧ ଚାଷୀ ମାନଙ୍କୁ ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି ସହିତ ନିଜ ନିଜର ଆର୍ଥିକ ଅଭିବୃଦ୍ଧି କରିବାପାଇଁ ପରାମର୍ଶ ଦେଇଥିଲେ । ଏହାଛଡା ଜିଲ୍ଲାରେ ଗୋପାଳନ ଏବଂ ଅଧିକ ଗୁଣବତ୍ତା ଦୁଗ୍ଧଉତ୍ପାଦନକୁ ବ୍ୟାପକ ମାତ୍ରାରେ କରିବାପାଇଁ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବ୍ୟାପକ ଘାସଚାଷ ଓ ଦୁଗ୍ଧଚାଷୀ ମାନଙ୍କୁ ଗାଈ ଗୁହାଳ ଯୋଗାଇଦେବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନପୁର ଶ୍ରୀ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବାପାଇଁ ଜିଲ୍ଲାପାଳ ମହୋଦୟା ନିର୍ଭର ପ୍ରତିଶୃତି ପ୍ରଦାନ କରି ଦୁଗ୍ଧ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଗୋପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଲଛିପୁର ସମିତିର ୪ ଜଣ ଅଗ୍ରଣୀ ଦୁଗ୍ଧ ଚାଷୀ ଇଛିପୁର ସମିତିର ସଭ୍ୟ ସୁଦାମ କଲତାଙ୍କୁ ଅଧିକ ପରିମାଣ ଦୁଗ୍ଧ ଉତ୍ପାଦନ ପାଇଁ, ଦୋଲେଶ୍ୱର କଲତାଙ୍କୁ ସମିତିକୁ ସର୍ବାକ ଗୁଣବତ୍ତା ଦୁଗ୍ଧ ଯୋଗାଣ ପାଇଁ, ସଭ୍ୟ କୁଞ୍ଜଲତା ବାରିକଙ୍କୁ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ ଉନ୍ନତ ପ୍ରଜାତିର ଘାସ ଚାଷ କରିଥିବା ନିମନ୍ତେ ତଥା ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କୁ ଉନ୍ନତ ଧରଣର ମାଈ ବାଛୁରୀ ପାଳନ ପାଇଁ ଜିଲ୍ଲାପାଳ ମହୋଦୟା ମାନପ‌ତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସଂଘ ତରଫରୁ ସାଧାରଣ ପରିଚାଳକ ଡାକ୍ତର ସରୋଜ ସାହୁ ଗୋ-ପାଳନ ବୃଦ୍ଧି ପାଇଁ ଆଗାମୀ ନିକଟ ଭବିଷ୍ୟତରେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ଏବଂ ଗୋପାଳନ କ୍ଷେତ୍ରରୁ ଚାଷୀମାନଙ୍କୁ ମିଳୁଥିବା ବିଭିନ୍ନ ପ୍ରକାର ଲାଭ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହିତ ଜଣେ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ହିସାବରେ ଦୁହାଳୀ ଗାଈ ଓ ଛଡ଼ା ମାନଙ୍କର ଯତ୍ନ ଯଥା ଖାଦ୍ୟ, ସମୟାନୁସାରେ କୃମିନିରାକରଣ ଓ ଟୀକାକରଣ ସହିତ ବିଭିନ୍ନ ପ୍ରକାର ରୋଗର କାରଣ ଓ ତାର ନିରାକରଣ ଆଦି ବିଷୟରେ ଉପସ୍ଥିତ ଦୁଗ୍ଧ ଚାଷୀମାନଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସୌମ୍ୟାରୂପା ରଥ, ବିଡ଼ିଓ ସୋନପୁର ସୌମ୍ୟରଞ୍ଜନ ସ୍ୱାଇଁ, ତହସିଲଦାର ସୋନପୁର ଯୋଗେଶ୍ୱର ଧରୁଆ, ସମଲେଶ୍ୱରୀ ଦୁଗ୍ଧ ସଂଘର ସଭାପତି ବିଦ୍ୟାଧର ପ୍ରଧାନ ପ୍ରମୁଖ ମଂଚାସୀନ ରହିଥିବା ବେଳେ ସମଲେଶ୍ୱରୀ ଦୁଗ୍ଧ ସଂଘ କ୍ଷେତ୍ରକର୍ମଚାରୀ ସନ୍ତୋଷ କୁମାର ମହାନ୍ତି, ସୁଶାନ୍ତ କୁମାର ମହାକୁର, ସହଦେବ ସତପଥୀ, ଅମୂଲ୍ୟ ଓଝା, ଭରତ ବେହେରା, ପୂର୍ବଚନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ସାହୁ, ଲିଙ୍ଗରାଜ ଭୁଏ, ଶ୍ରୀମତୀ ଆରତୀ ମିଶ୍ର, ସରୋଜିନୀ ବାରିକ, ସୁପ୍ରଭା ବିଶ୍ୱାଳ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସଂଘର କନିଷ୍ଠ ପରିଚାଳକ ସଞ୍ଜୀବ କୁମାର ଶତପଥୀ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.