csstore

କଲମପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ମଣ୍ଡି ପରିସରରେ ବୁଧବାର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପେକ୍ସ ସଭାପତି ଶଙ୍କର୍ଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ସମସ୍ତଙ୍କୁ ସ୍ଵାଗତ ଜଣାଇ କୃଷକ ମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ସମବାୟ ସମିତିର ବିଶେଷ ଗୁରୁତ୍ୱ ଭୂମିକା ରହିଥିବା ସଭାପତି ଶ୍ରୀ ବେହେରା କହିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧ ଲକ୍ଷ ଟଙ୍କାରୁ କମ କୃଷି ଋଣ ପାଇଁ ୦% ଓ ୧ ଲକ୍ଷରୁ ଅଧିକ ଋଣ ପାଇଁ ୨ % ସୁଧ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଉପସ୍ଥିତ ନିର୍ଦେଶକ ଓ ଅଧିକାରୀ ମାନେ ମତ ବ୍ୟକ୍ତ କରିଥିଲେ । ସମିତି ମୁଖ୍ୟ କାର୍ଯ୍ୟ ନିର୍ବାହୀ କ୍ଷେତ୍ର ମୋହନ ବାଗ ବଜେଟ୍‌ ଉପରେ ଆଲୋକପାତ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ଶତାଧିକ ଚାଷୀଙ୍କ ପକ୍ଷରୁ ରାଧେଶ୍ୟାମ ଶର୍ମା, ଧନଞ୍ଜୟ ମାଝୀ, ଭବାନୀ ଶଙ୍କର ବେହେରା, କୃପାସିନ୍ଧୁ ସାହୁ, ଦୁଃଖିଶ୍ୟାମ ମାଝୀ ପ୍ରମୁଖ ଧାନ କିଣାବିକା ସମୟରେ ବିଗତ ଦିନ ମାନଙ୍କରେ ଅନ୍ୟ ପେକ୍ସ ତୁଳନାରେ କଲମପୁର ପେକ୍ସ ଅଧୀନରେ ଥିବା ମଣ୍ଡି ମାନଙ୍କରେ କ୍ୱିଣ୍ଟାଲ ପିଛା ଅଧିକ କଟନି କରି ଚାଷୀଙ୍କୁ ଶୋଷଣ କରୁଥିବା ପ୍ରକାଶ କରିଥିଲେ । ଆଗାମୀ ଖରିଫ ଧାନ କ୍ରୟ ସମୟରେ ଯେମିତି ମଣ୍ଡି ଠିକ୍‌ ଭାବେ ଚାଲିବ, ଚାଷୀ ଯେମିତି ଶୋଷଣର ଶିକାର ନହେବେ ସେଥିପାଇଁ ପ୍ରାଥମିକତା ଦେବାପାଇଁ ଚାଷୀମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏନେଇ ସମିତିର ନିର୍ଦ୍ଦେଶକ ପୀତବାସ ସାହୁ, ମହେନ୍ଦ୍ରନାଥ ସାହୁ ଉତ୍ତର ରଖିବା ସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସଭା ଶେଷରେ ନିର୍ଦ୍ଦେଶକ ପୀତବାସ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.